ଭାରତରେ ଏଲପିଜି ସବୁଠୁ ମହଙ୍ଗା, ପେଟ୍ରୋଲ ମାମଲାରେ ଦେଶର ସ୍ଥାନ ବିଶ୍ବରେ ତୃତୀୟ | News Room Odisha

ଭାରତରେ ଏଲପିଜି ସବୁଠୁ ମହଙ୍ଗା, ପେଟ୍ରୋଲ ମାମଲାରେ ଦେଶର ସ୍ଥାନ ବିଶ୍ବରେ ତୃତୀୟ

ନୂଆଦିଲ୍ଲୀ: ଦରବୃଦ୍ଧି ଯୋଗୁଁ ଏବେ ସମଗ୍ର ଦେଶରେ ହାହାକାର ପଡ଼ିଛି। ପେଟ୍ରୋଲ ଏବଂ ଡିଜେଲ ସହିତ ଏଲପିଜିର ଦର ଲଗାତାର ବଢ଼ି ଚାଲିଛି | ସ୍ଥିତି ଏପରି ହୋଇଛି ଯେ ଭାରତର ଜନସାଧାରଣଙ୍କୁ ଏବେ ବିଶ୍ବର ସବୁଠାରୁ ମହଙ୍ଗା ଏଲପିଜି କିଣିବାକୁ ପଡୁଛି। ଭାରତରେ ଏଲପିଜି ବିଶ୍ବର ଅନ୍ୟ ଦେଶ ତୁଳନାରେ ସବୁଠୁ ମହଙ୍ଗା । ଏଥି ସହିତ ପେଟ୍ରୋଲ ମୂଲ୍ୟ ଦୃଷ୍ଟିରୁ ଭାରତ ତୃତୀୟ ଏବଂ ଡିଜେଲ ମୂଲ୍ୟରେ ଅଷ୍ଟମ ସ୍ଥାନରେ ରହିଛି।

ଭାରତୀୟ ମୁଦ୍ରା ଅର୍ଥାତ୍ ଟଙ୍କାର ପରଚେଜିଂ ପାଓ୍ବାର ବା କ୍ରୟ କ୍ଷମତା ଦୃଷ୍ଟିରୁ, ଭାରତରେ କିଲୋଗ୍ରାମ ପିଛା ଏଲପିଜି ମୂଲ୍ୟ ବିଶ୍ବରେ ସର୍ବାଧିକ | କ୍ରୟ କ୍ଷମତା ଦୃଷ୍ଟିରୁ ଏକ କିଲୋଗ୍ରାମ ଏଲପିଜି ମୂଲ୍ୟ ୩.୫ ଡଲାର | ଏଭଳି ସ୍ଥିତିରେ ଭାରତର ଲୋକ ନିଜ ଦୈନିକ ଆୟର ୧୫.୬% ଇନ୍ଧନ ପାଇଁ ଖର୍ଚ୍ଚ କରୁଛନ୍ତି | ମୁଣ୍ଡପିଛା ଦୈନିକ ଆୟର ଏତେ ବଡ଼ ଅଂଶ ଅନ୍ୟ କୌଣସି ଦେଶରେ ଖର୍ଚ୍ଚ ହେଉନାହିଁ | ଏହାର ବିଭିନ୍ନ କାରଣ ରହିଛି । ବିଭିନ୍ନ ଦେଶର ମୁଦ୍ରାର କ୍ରୟ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ । ଏହାଛଡ଼ା ବିଭିନ୍ନ ଦେଶର ମୁଣ୍ଡପିଛା ଦୈନିକ ଆୟ ମଧ୍ୟ ଅଲଗା ।

ଏଥି ସହିତ ଭାରତରେ ପେଟ୍ରୋଲର ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ପ୍ରତି ବ୍ୟକ୍ତିଙ୍କ ଆୟର ପ୍ରାୟ ୨୩.୫ ପ୍ରତିଶତ ଲିଟର ପିଛା ପେଟ୍ରୋଲ କିଣିବାରେ ଖର୍ଚ୍ଚ ହେଉଛି | ଭାରତର ଦୁଇ ପଡୋଶୀ ଦେଶ ହେଉଛି ନେପାଳ ଏବଂ ପାକିସ୍ତାନ। ନେପାଳରେ ଦୈନିକ ମୁଣ୍ଡପିଛା ଆୟର ୩୮.୨ ପ୍ରତିଶତ ପେଟ୍ରୋଲ ପାଇଁ ଖର୍ଚ୍ଚ ହେଉଥିବାବେଳେ ପାକିସ୍ତାନର ଲୋକମାନେ ନିଜ ଆୟର ୨୩.୮ ପ୍ରତିଶତ ପେଟ୍ରୋଲ କିଣିବା ପାଇଁ ଖର୍ଚ୍ଚ କରନ୍ତି |

ବିକାଶଶୀଳ ଦେଶମାନଙ୍କରେ, ମୁଣ୍ଡପିଛା ଦୈନିକ ଆୟ ତୁଳନାରେ ପେଟ୍ରୋଲ-ଡିଜେଲ ଏବଂ ରନ୍ଧନ ଗ୍ୟାସରେ ବହୁତ କମ୍ ଅନୁପାତ ଖର୍ଚ୍ଚ ହେଉଛି | ଆମେରିକାରେ ଦୈନିକ ଆୟର ୦.୬ ପ୍ରତିଶତ ପେଟ୍ରୋଲ ଏବଂ ଡିଜେଲରେ ୦.୭ ପ୍ରତିଶତ ଖର୍ଚ୍ଚ ହୋଇଥାଏ |

ଆନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ସ୍ଥିତି ଏବଂ ଅନ୍ୟ ଦେଶରେ ବିକ୍ରି ହେଉଥିବା ପେଟ୍ରୋଲ ଏବଂ ଡିଜେଲର ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ହିସାବ କରାଯାଇଛି। ଏହି ହିସାବରେ ଭାରତରେ ଏଲପିଜିର ଲିଟର ପିଛା ମୂଲ୍ୟ ୩.୫ ଡଲାର । ଯାହାକି ଅନ୍ୟ ଦେଶ ତୁଳନାରେ ସର୍ବାଧିକ | ଭାରତ ପରେ ତୁର୍କୀ, ଫିଜି ଏବଂ ୟୁକ୍ରେନରେ ଏଲପିଜି ମୂଲ୍ୟ ସର୍ବାଧିକ ।