ଚେନ୍ନାଇ- ହାଓ୍ବଡା ମେଲରେ ସହଯାତ୍ରୀଙ୍କୁ ହତ୍ୟା | News Room Odisha

ଚେନ୍ନାଇ- ହାଓ୍ବଡା ମେଲରେ ସହଯାତ୍ରୀଙ୍କୁ ହତ୍ୟା

ଛତ୍ରପୁର: ଚଳନ୍ତା ଟ୍ରେନରେ ଉଗ୍ର ବଚସା ପରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ। ସହଯାତ୍ରୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବାହାଦୂରପୁର ଅଞ୍ଚଳର ପ୍ରସନ୍ନଜିତ ଗୋରାଇ। ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ହେଲେ ସେହି ଅଞ୍ଚଳର ରାଜୀବ ଗୋରାଇ। ଆଜି ଚେନ୍ନାଇ- ହାଓ୍ବଡା ମେଲ୍ ସୁପରଫାଷ୍ଟ ଟ୍ରେନରେ ଏହି ଦୁଃଖଦ ଘଟଣା ଘଟିଛି। ସ୍ୱାମୀ- ସ୍ତ୍ରୀ ଓ ତାଙ୍କର ସମ୍ପର୍କୀୟ ମିଶି ଚେନ୍ନାଇ ଠାରୁ ହାଓ୍ବଡା ଯାତ୍ରା କରୁଥିଲେ। ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଜୋରସୋରରେ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ରାଜୀବ ଛୁରୀରେ ପ୍ରସନ୍ନଜିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ଯାତ୍ରୀମାନଙ୍କ ସହଯୋଗରେ ଆରପିଏଫ୍ ଛତ୍ରପୁର ଷ୍ଟେସନରେ ଟ୍ରେନରୁ ଗୁରୁତର ପ୍ରସନ୍ନଜିତଙ୍କୁ ଓହ୍ଲାଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା। ମାତ୍ର ଡାକ୍ତର ପ୍ରସନ୍ନଜିତଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ରେଳବାଇ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି।