ଟିକା ନେବା ସତ୍ତ୍ୱେ ହରିୟାଣା ମନ୍ତ୍ରୀ ପଜିଟିଭ୍ ହେବା ନେଇ ସ୍ପଷ୍ଟୀକରଣ ଦେଲା ଭାରତ ବାୟୋଟେକ୍‌ | News Room Odisha

ଟିକା ନେବା ସତ୍ତ୍ୱେ ହରିୟାଣା ମନ୍ତ୍ରୀ ପଜିଟିଭ୍ ହେବା ନେଇ ସ୍ପଷ୍ଟୀକରଣ ଦେଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ – ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରଥମ ଡୋଜ୍ ନେଇଥିଲେ । ଏହାର ୧୫ ଦିନ ପରେ ସେ କରୋନା ପଜିଟିଭ୍ ହୋଇଛନ୍ତି । ଭିଜ୍ ଆଜି ଏନେଇ ଟ୍ୱିଟ କରି ସୂଚନା ଦେଇଥିଲେ । ତେବେ ଟିକା ନେବା ସତ୍ତ୍ୱେ ଭିଜ୍ କିପରି କରୋନାରେ ସଂକ୍ରମିତ ହେଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଏହାଛଡ଼ା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଭିଜ୍ କରୋନା ସଂକ୍ରମିତ ହେବାର କାରଣ ସମ୍ପର୍କରେ ଭାରତ ବାୟୋଟେକ୍ ସ୍ପଷ୍ଟୀକରଣ ଦେଇ ସବୁ ସନ୍ଦେହ ଦୂର କରିଛି । କମ୍ପାନୀ କହିଛି ଯେ, ଏହାଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା ‘କୋଭାକ୍ସିନ’ ଦୁଇଟି ଡୋଜ୍ ଉପରେ ଅଧାରିତ । ଏହି ଟିକାର ଦୁଇଟି ଡୋଜ୍ ୨୮ ଦିନ ବ୍ୟବଧାନରେ ନେବାକୁ ପଡିବ । ଏହାର ୧୪ ଦିନ ପରେ ଏହି ଟିକା କାମ କରିବା ଆରମ୍ଭ କରିବ ବୋଲି ଭାରତ ବାୟୋଟେକ୍ ତରଫରୁ କୁହାଯାଇଛି । ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଭିଜ୍ ଏହି ଟିକାର କେବଳ ପ୍ରଥମ ଡୋଜ୍ ନେଇଥିଲେ ।

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ୨୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ‘କୋଭାକ୍ସିନ’ର ପରୀକ୍ଷଣ କରାଯିବ । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ବୋଲି ଭାରତ ବାୟୋଟେକ୍ କହିଛି । ଏହି ଟିକାକୁ ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ କରିବା ଆମର ପ୍ରାଥମକିତା ବୋଲି କମ୍ପାନୀ କହିଛି । ଏହାର ୨୦ ବର୍ଷ ଇତିହାସରେ ଭାରତ ବାୟୋଟେକ୍ ବିଶ୍ୱର ୧୮ ଦେଶରେ ୮୦ରୁ ଊର୍ଦ୍ଧ୍ୱ କ୍ଲିନିକାଲ ଟ୍ରାଏଲ କରିଛି ।