ଏମସିଏଲ୍ ପ୍ରଦୂଷଣରେ ବିଲୁପ୍ତିର ଦ୍ବାର ଦେଶରେ ହଜାର ବର୍ଷ ପୁରୁଣା ଲିଲାରୀ ନାଲା | News Room Odisha

ଏମସିଏଲ୍ ପ୍ରଦୂଷଣରେ ବିଲୁପ୍ତିର ଦ୍ବାର ଦେଶରେ ହଜାର ବର୍ଷ ପୁରୁଣା ଲିଲାରୀ ନାଲା

ଝାରସୁଗୁଡ଼ା : ହଜାର ବର୍ଷ ଧରି ଲୋକଙ୍କ ଜୀବନରେଖା ପାଲଟିଥିବା ଲିଲାରୀ ନାଲା ଝାରସୁଗୁଡ଼ାର ବ୍ରଜରାଜନଗରବାସୀଙ୍କ ପାଇଁ ଏବେ ଅଭିଶାପ ପାଲଟିଛି। ଏମସିଏଲର ପ୍ରଦୂଷଣ ଯୋଗୁଁ ଏହି ନାଲା ଏବେ ଅସ୍ତିତ୍ବ ହରାଇବାକୁ ବସିଲାଣି। ଗୋଟିଏ ପଟେ ପାରିପାର୍ଶ୍ବିକ ଉନ୍ନୟନ ଏବଂ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅବହେଳା କରି ଆସୁଥିବା ଏମସିଏଲ ଏବେ ଲୋକଙ୍କୁ ପ୍ରଦୂଷଣର ବିଷ ବଳୟରେ ପୋତି ଦେଉଛି।

ଅଞ୍ଚଳବାସୀଙ୍କ ପାଇଁ ଏକଦା ଜୀବନରେଖା ସାଜିଥିଲା ଚିରସ୍ରୋତା ଲିଲାରୀ ନାଳା। ହେଲେ ଆଜି ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଦୁଖର କାରଣ ହୋଇଛି। ଏମସିଏଲର ଖୋଲାମୁହଁ କୋଇଲା ଖଣିର ପ୍ରଦୂଷଣ ଏବେ କାଳ ହେଲାଣି। ଲଖନପୁର ବ୍ଲକର ବଞ୍ଜାରୀ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଏହି ଚିରସ୍ରୋତା ନାଳା ଜାତୀୟ ରାଜପଥ-୪୯କୁ ଅତିକ୍ରମ କରି କୁଡ଼ାଲୋଇ ପଞ୍ଚାୟତର ଖଇରକୁନି-ଟିଙ୍ଗିସମାଲ ପାର୍ଶ୍ବ ଦେଇ ତଳକୁ ବୋହି ଯାଇଛି। ଲଖନପୁର ଖଣିର ବକ୍ଷ ଚିରି ଖଣି ଗର୍ଭରେ ଲୀନ ଘନାମାଲ, ଦର୍ଲିପାଲି, କିରାରମା ଦେଇ ସିଧାସଳଖ ଇବ୍ ନଦୀ ତଥା ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରିଛି। କୋଇଲା ଖଣିର ସଂସ୍ପର୍ଶରେ ଆସିବା ପରେ ଏହି ନାଳାର ସ୍ବଚ୍ଛ ଜଳ ଜହର ପାଲଟିଛି। ଗତିପଥ ବଦଳିବା ସହ ଜଳର ରୂପ, ରଙ୍ଗ ଆଉ ଗୁଣ ସବୁକିଛି ବଦଳି ଯାଇଛି।

ହୀରାକୁଦ ଜଳଭଣ୍ଡାରର ଶାଖା ଭାବେ ପରିଚିତ ଏହି ନାଲାର ପ୍ରଦୂଷଣ ପାଇଁ ସିଧାସଳଖ ହୀରାକୁଦ ଜଳଭଣ୍ଡାର ବିଷାକ୍ତ ହେବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଏମସିଏଲ୍ ଉଦବୃତ୍ତ ବିଷ ଲିଲାରୀ ନାଳା ଦେଇ ପ୍ରବେଶ କରିବା ସହ ଜଳଭଣ୍ଡାରର ମତ୍ସ୍ୟ ସଂପଦ ଏବଂ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରି ଚାଲିଛି।

୧୯୦୦ ମସିହାରେ ଇବ୍ ଉପତ୍ୟକାରେ କୋଇଲାର ସନ୍ଧାନ ମିଳିବା ପୂର୍ବରୁ ଲିଲାରୀ ନାଳାର ଜନ୍ମ। ସେ ସମୟରେ ଘଞ୍ଚ ବନାନୀ ଦେଇ ପ୍ରବାହିତ ଏହି ନାଳା ପାର୍ଶ୍ବରେ ଲେଲେର ନାମକ ଲତା ପରିପୂର୍ଣ୍ଣ ଥିବାରୁ ଏହି ନାଳର ନାମକରଣ ଲିଲାରୀ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମତ। ଆଞ୍ଚଳିକ ଭାଷାରେ ଏହାକୁ ଲିଲାରୀ ନାଳା ପରିବର୍ତ୍ତେ ଲେଲେର ଯୋର ବୋଲି ମଧ୍ୟ କହନ୍ତି। ବେଲପାହାଡ଼ରୁ ହେମଗିର ଅଞ୍ଚଳକୁ ଲମ୍ବିଥିବା ସୀତାରାମ ପାହାଡ଼ ସହ ଅନେକ ଛୋଟ ବଡ଼ ପାହାଡ଼ ରହିଛି। ଯେଉ ପାହାଡ଼ ମାଳାରୁ ଏହି ନାଳାର ଜନ୍ମ। ବଞ୍ଜାରୀ ପଞ୍ଚାୟତ ଦେଇ ବହି ଆସିଥିବା ଏହି ନାଳା ଉପରେ ୧୫ରୁ ଅଧିକ ଗ୍ରାମର ଲୋକେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ। ଏଥିସହ ଗୋରୁଗାଈ, ପଶୁପକ୍ଷୀ, ବଣ ଜଙ୍ଗଲର ପଶୁପକ୍ଷୀ ବି ଏହି ନାଳା ଉପରେ ଆଶ୍ରିତ। ୮୦ ଦଶକରେ ବେଲପାହାଡ଼ ଖୋଲାମୁହଁ କୋଇଲାଖଣି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହି ଅଞ୍ଚଳରେ ଟାଟା କମ୍ପାନିର ଛୁଇଁମାଟି (ଖଡ଼ିପଥର) ଖଣି, ସିଏମପିଡିଆଇ ପକ୍ଷରୁ ଖନନ ହେଉଥିଲା। ସେ ସମୟରେ ଲିଲାରୀ ନାଳା ଉପରେ ଖଣି ଖନନର ବିଶେଷ ପ୍ରଭାବ ନ ଥିଲା। ମାତ୍ର ୧୯୮୪ ମସିହା ପରେ ବେଲପାହାଡ଼ ଖଣି ଏବଂ ପରେ ଲଖନପୁର ଏବଂ ଲିଲାରୀ ଖଣି ଖନନ ହେବା ସହ କାଳକ୍ରମେ ସଂପ୍ରସାରିତ ହେବାକୁ ଲାଗିଛି।

ଖଣି ସଂପ୍ରସାରଣ ଯୋଗୁଁ ଲିଲାରୀ ନାଳାର ଗତିପଥ ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ନାଳ ଉପରେ ଅସ୍ଥାୟୀ ମାଟି ବନ୍ଧ ବାନ୍ଧି ପାଣିକୁ ଅଟକ ରଖା ଯାଇଛି। ସେଠାରୁ ପମ୍ପ ସାହାଯ୍ୟରେ ପାଣି ଉଠାଇ ଟାଙ୍କର ଯୋଗେ ଖଣିର ରାସ୍ତାଘାଟରେ ସିଞ୍ଚନ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ଖାଲି ସେତିକି ନୁହେଁ ଖଣି ଖନନ ଯୋଗୁଁ ବାହାରୁଥିବା ପାଣି ପମ୍ପ ସାହାଯ୍ୟରେ ଉଠାଇ ତାହା ନାଳକୁ ଛଡ଼ା ଯାଉଛି। ଲଖନପୁର ପ୍ରକଳ୍ପ କାର୍ଯ୍ୟ।ଳୟ ପାଖରେ ଥିବା ସେଡିମଣ୍ଟେସନ୍ ଟ୍ୟାଙ୍କ ଭୁଶୁଡ଼ି ପଡ଼ିବା ସହ ପଟୁ ଏବଂ ଖଣି ବର୍ଜ୍ୟରେ ପୋତି ହେବା ପରେ ତାହା ଅକାମୀ ହୋଇଛି। ସିଧାସଳଖ ଖଣି ଉଦବୃତ୍ତ ବର୍ଜ୍ୟଜଳ ଲିଲାରୀ ନାଳାରେ ମିଶୁଛି। ଅନ୍ୟପକ୍ଷରେ ଲଖନପୁର ଖଣିର ବାର୍କସପ୍ରୁ ବାହାରୁଥିବା ପୋଡ଼ା ପେଟ୍ରୋଲିୟମ ପଦାର୍ଥ, କୋଇଲା ମିଶ୍ରିତ ଖଣି ବର୍ଜୟଜଳ ଆଦି ଦର୍ଲିପାଲି ନିକଟରେ ଲିଲାରୀ ନାଳାକୁ ପ୍ରବେଶ କରୁଛି। ଏହି ବର୍ଜ୍ୟଜଳ ନାଳରେ ମିଶିବା ପରେ ନାଳର ଜଳ କଳା ରଙ୍ଗ ଦେଖାଯିବା ସହ ଭୟଙ୍କର ପ୍ରଦୂଷିତ ହୋଇଛି। ବିଭିନ୍ନ ସ୍ଥାନରେ କୋଇଲା ଟ୍ରକ ଗୁଡ଼ିକ ନାଳରେ ଧୋଇବା ଯୋଗୁଁ ନାଳା ଜଳର ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ଦର୍ଲିପାଲି, ଯୋରାବଗା, କିରାରମା, ବାଏଲପୁଟ୍ ଆଦି ଗ୍ରାମର ଲୋକଙ୍କ ଲାଗି ଏହି ଲିଲାରୀ ନାଳା ଜଳ ଦିନେ ଅମୃତ ଥିଲା। ମାତ୍ର ଏବେ ଖଣି ପ୍ରଭାବରେ ଏହା ଜହର ପାଲଟିଛି। ଲୋକେ ଆଉ ବ୍ୟବହାର କରିବା ଉପଯୋଗୀ ରହିନାହିଁ। ଯାହାର ସୁଦୂର ପ୍ରସାରୀ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ବି ପଡ଼ିବାରେ ଲାଗିଛି। ନାଳ ପାର୍ଶ୍ବରେ ବହୁ ସଂଖ୍ୟକ ଇଟାଭାଟି ଗଢି ଉଠିବା ଯୋଗୁ ନାଳ ଜଳର ଇଟା ତିଆରିରେ ବ୍ୟବହାର ବୃଦ୍ଧି ପାଉଛି। ଚିରସ୍ରୋତା ନାଳାଟି ଆଗେ ଖରାଦିନେ ବି ପ୍ରବାହିତ ହେଉଥିଲା। ମାତ୍ର ଏବେ ଗ୍ରୀଷ୍ମ ଆଗମନର ବହୁ ପୂର୍ବରୁ ଶୁଖି ଯାଉଛି।

ଦିନକୁ ଦିନ ଜଳ ପ୍ରଦୂଷଣ ଭୟଙ୍କର ରୂପ ନେବା ସହ ଲିଲାରୀ ନାଳା ଶେଷ ନିଃଶ୍ବାସ ଗଣୁଥିବା ବେଳେ ଖଣି ପ୍ରଦୂଷଣ ଉପରେ ଲଗାମ ଲାଗି ପାରୁନାହିଁ। ଖଣି ପାର୍ଶ୍ବବର୍ତ୍ତୀ ତଥା ଲିଲାରୀ ନାଳା ଉପକୂଳରେ ଥିବା ଗାଁ ଗୁଡ଼ିକରେ ଏବେ ପ୍ରଦୂଷଣ କାରଣରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଲୋକେ ଭୋଗିବାକୁ ଲାଗିଛନ୍ତି। ଚର୍ମରୋଗ, ଚକ୍ଷୁ ରୋଗ, ଶ୍ବାସ ରୋଗ ଆଦିର ପ୍ରାଦୁର୍ଭାବ ବୃଦ୍ଧି ପାଇ ଚାଲିଛି। ସେପଟେ ଏମସିଏଲ ଦାଦାଗିରି ପୂର୍ବକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସବୁ ସର୍ତ୍ତାବଳୀକୁ ଉଲ୍ଲଂଘନ କରି ଚାଲିଛି। ଏହାର ତୁରନ୍ତ ପ୍ରତିକାର କରାନଗଲେ ସମଗ୍ର ଅଞ୍ଚଳବାସୀ ଏହାର ଭୟଙ୍କର ପରିଣାମ ଭୋଗିବାର ଆଶଙ୍କା ରହିଛି।