ଲୋକସଭାରୁ ଆଉ ୪୯ ସାଂସଦ ନିଲମ୍ବିତ, ଏଯାବତ୍ ନିଲମ୍ବିତ ହେଲେଣି ୧୪୧ ସାଂସଦ | News Room Odisha

ଲୋକସଭାରୁ ଆଉ ୪୯ ସାଂସଦ ନିଲମ୍ବିତ, ଏଯାବତ୍ ନିଲମ୍ବିତ ହେଲେଣି ୧୪୧ ସାଂସଦ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଗୃହମନ୍ତ୍ରୀଙ୍କ ବିବୃତି ଦାବି କରୁଥିବା ବିରୋଧୀ ସାଂସଦଙ୍କ ନିଲମ୍ବନ ଧାରା ଜାରି ରହିଛି । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ବାଚସ୍ପତି ଓମ୍ ବିର୍ଲା ଆଜି ପୁଣି ୪୯ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରିଛନ୍ତିି । ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ଶଶି ଥରୁର, ଡିମ୍ପଲ୍ ଯାଦବ, କାର୍ତ୍ତି ଚିଦାମ୍ବରମ୍, ମନୀଷ ତିୱାରୀ, ଏସଟି ହାସନ, ରାଜୀବ ରଂଜନ, ଫାରୁକ ଅବଦୁଲ୍ଲାଙ୍କ ପରି ନେତାଙ୍କ ସହ ୪୯ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ଗତକାଲି ଦିନକରେ ଲୋକସଭା ଓ ରାଜ୍ୟସଭାରୁ ୭୮ ସାଂସଦ ନିଲମ୍ବିତ ହୋଇଥିଲେ। ଏଥିସହ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିବା ମୋଟ ସାଂସଦଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି, ଯାହା ଭାରତୀୟ ସଂସଦ ଇତିହାସରେ ପ୍ରଥମ ।

ବାଚସ୍ପତିଙ୍କ ଚେତାବନୀ ସତ୍ତ୍ୱେ ଆଜି ମଧ୍ୟ ଲୋକସଭାରେ ବିରୋଧୀ ସାଂସଦ ପାର୍ଲିଆମେଣ୍ଟ ସୁରକ୍ଷା ଭଙ୍ଗ ଓ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ‌। ସେମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଏହି ସାଂସଦମାନଙ୍କୁ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବନ କରିବାକୁ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ପ୍ରସ୍ତାବ ଆଣିଥିଲେ। ଏହାକୁ ବାଚସ୍ପତି ଓମ୍ ବିର୍ଲା ମଞ୍ଜୁର କରିଥିଲେ।

ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ, ମନୀଷ ତିୱାରୀ, ଶଶି ଥରୁର, ଏମଡି ଫୈଜାଲ, କାର୍ତ୍ତି ଚିତ୍ରମ୍ବରମ, ସୁଦୀପ ବନ୍ଦୋପାଧ୍ୟାୟ, ଡିମ୍ପଲ ଯାଦବ, ଚନ୍ଦ୍ରଶେଖର ପ୍ରସାଦ, ଏସଟି ହାସନ, ମାଲା ରୟ, ରାଜୀବ କୁମାର ସିଂ , ପ୍ରତିଭା ସିଂହ, ମହମ୍ମଦ ସାଦିକ, ଜଗବୀର ସିଂହ ଗିଲ୍, ମହାବାଲି ସିଂହ, ଏମ.କେ ବିଷ୍ଣୁ ପ୍ରସାଦ, ଫାରୁକ ଅବଦୁଲ୍ଲା, ଗୁରୁଜିତ ସିଂହ ଅଜଲା, ଫଜଲୁର ରେହମାନ, ରାବଣୀତ ସିଂହ ବିଟୁ, ଦୀନେଶ ଯାଦବ, କେ ସୁଧାକରଣ, ସୁଶୀଲ କୁମାର ରିଙ୍କୁ ଏବଂ ଦାନିଶ ଅଲି ରହିଛନ୍ତି ।

ଲୋକସଭାରୁ ସାଂସଦଙ୍କ ନିଲମ୍ବନ ନିନ୍ଦା କରିଛନ୍ତିି ବିରୋଧୀ । ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି ସେମାନେ କହିଛନ୍ତି । ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ କହିଛନ୍ତି, ଆଜି ୪୦ରୁ ଅଧିକ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ସରକାରଙ୍କ ବିଫଳତା। ଡିସେମ୍ବର ୧୩ରେ ଘଟିଥିବା ଘଟଣା ସମ୍ପର୍କରେ ସ୍ୱର ଉଠାଇଥିବାରୁ ଆମକୁ ଏହି ଦଣ୍ଡ ଦିଆଯାଉଛି । ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା ମଧ୍ୟ ସାଂସଦଙ୍କ ଏଭଳି ନିଲମ୍ବନକୁ ନିନ୍ଦା କରିଛନ୍ତିି ‌। ସେ ଏହାକୁ ‘ଗଣତନ୍ତ୍ରର ନିଲମ୍ବନ’ ବୋଲି କହିଛନ୍ତି ।