କର୍ଣ୍ଣାଟକ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୦୩% ମତଦାନ, ବିଜୟ ନେଇ କଂଗ୍ରେସ, ବିଜେପି ଆଶାବାଦୀ  | News Room Odisha

କର୍ଣ୍ଣାଟକ ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୦୩% ମତଦାନ, ବିଜୟ ନେଇ କଂଗ୍ରେସ, ବିଜେପି ଆଶାବାଦୀ 

ବେଙ୍ଗାଲୁରୁ: କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ବୁଧବାର ଭୋଟ୍ ଗ୍ରହଣ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୩ଟା ସୁଦ୍ଧା ୫୨.୦୩% ମତଦାନ ରେକର୍ଡ କରାଯାଇଛି। ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ନିର୍ବାଚନରେ ନିଜ ବିଜୟ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଜେଡିଏସ୍ ସଭାପତି ଏଚଡି କୁମାରସ୍ୱାମୀ କହିଛନ୍ତି ଯେ ତାଙ୍କ ଦଳ ପୁଣିଥରେ କର୍ଣ୍ଣାଟକରେ କିଙ୍ଗମେକର ଭାବେ ଉଭା ହେବ। ରାଜ୍ୟରେ ଚାଲିଥିବା ମତଦାନ ସମୟରେ ଅତି କମରେ ତିନୋଟି ସ୍ଥାନରେ ହିଂସା ରିପୋର୍ଟ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଏହାପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଆଶା ପ୍ରକାଶ କରିଥିଲେ। ହାଭେରୀ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପରେ ବମ୍ମାଇ ଗଣମାଧ୍ୟମକୁ କହିଥିଲେ, ସେ ରେକର୍ଡ ବ୍ୟବଧାନରେ ଜିତିବେ। ଲଗାତାର ଚତୁର୍ଥ ଥର ପାଇଁ ବମ୍ମାଇ ଶିଗଗାଓଁ ଆସନରୁ ଲଢ଼ୁଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ ଆଶାବାଦୀ କି ବୋଲି ପ୍ରଶ୍ନ କରିବାରୁ ବାସବରାଜ ବମ୍ମାଇ କହିଛନ୍ତି ଯେ ନିର୍ବାଚନ ପରେ ବିଧାୟକ ଦଳ ଏବଂ ବିଜେପି ସଂସଦୀୟ ବୋର୍ଡ ଏହି ପ୍ରଶ୍ନର ଉତ୍ତର ଦେବେ। ମତଦାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଗଣତନ୍ତ୍ର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି। ଗଣତନ୍ତ୍ରର ସଫଳତା ଓ କର୍ଣ୍ଣାଟକର ବିକାଶ ପାଇଁ ଭୋଟ୍ ଦେବାକୁ ବମ୍ମାଇ ରାଜ୍ୟର ଭୋଟରଙ୍କୁ ଆହ୍ବାନ କରିଛନ୍ତି । ’କର୍ଣ୍ଣାଟକରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା, ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟ୍ ଗଣତି ମେ ୧୩ରେ ହେବ |