ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବ: ୧୦୦ ବର୍ଷ ଓଡ଼ିଶାର ସେବା ପାଇଁ ଦଳକୁ ମା' ମାନଙ୍କ ଆଶୀର୍ବାଦ ଲୋଡିଲେ ନବୀନ | News Room Odisha

ବିଜେଡି ପ୍ରତିଷ୍ଠା ଦିବସ ଉତ୍ସବ: ୧୦୦ ବର୍ଷ ଓଡ଼ିଶାର ସେବା ପାଇଁ ଦଳକୁ ମା’ ମାନଙ୍କ ଆଶୀର୍ବାଦ ଲୋଡିଲେ ନବୀନ

ଭୁବନେଶ୍ବର – ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ,ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଦରକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ ବୋଲି ନବୀନ କହିଛନ୍ତି।


ତାଙ୍କୁ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି ଯେ, ବିଜେଡି ହେଉଛି ସବୁଠାରୁ ସଫଳ ଆଞ୍ଚଳିକ ଦଳ । ବିଜେଡି ଲୋକଙ୍କ ବିଶ୍ବାସକୁ ଭିତ୍ତି କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି।

ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି, ତାହା ହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ପ୍ରଥମ କାରଣ ସଂପର୍କରେ ବିଜେଡି ସୁପ୍ରିମୋ କହିଛନ୍ତି ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ ଏକମାତ୍ର ଏଜେଣ୍ଡା ରଖିକି କାମ କରିବା। ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ ବୋଲି ସେ ଜାଣନ୍ତି । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି – ଆମ ରାଜ୍ୟ ଓ ରାଜ୍ୟବାସୀ ।

ଓଡିଶାର ସ୍ବାର୍ଥ, ଓଡ଼ିଶାର ଉନ୍ନତି ଓଡଶାର ଗୌରବ, ଓଡଶାର ଭାଷା, ଓଡଶାର ସଂସ୍କୃତି ଓ ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି। ଦ୍ବିତୀୟ ହେଲା – ବିଜୁ ବାବୁଙ୍କ ଆଦର୍ଶ । ବିଜୁ ବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱ । ଏହା ସେ ସବୁବେଳେ କହିଆସୁଛନ୍ତି ବୋଲି ନବୀନ କହିଥିଲେ । ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।

ତୃତୀୟ ହେଲା ସ୍ବଚ୍ଛ ଓ ନିର୍ମଳ ଶାସନ । ବିଜେଡିର ନିହିତ ସ୍ୱାର୍ଥ ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ବିଜେଡିର ଦ୍ବିତୀୟ ନିହିତ ସ୍ୱାର୍ଥ ନାହିଁ ବୋଲି ନବୀନ ନିଜ ସମ୍ବୋଧନରେ ଉଲ୍ଲେଖ କରିଥିଲେ ।

ବିଜେଡି ଲୋକଙ୍କ ଆଶୀର୍ବାଦ ପାଇବା ପଛରେ ଚତୁର୍ଥ କାରଣ ମହିଳା ସଶକ୍ତିକରଣ ବୋଲି ନବୀନ କହିଛନ୍ତି। ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ବିଜେଡିକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେଠାରୁ ମା’ ମାନଙ୍କ ସଶକ୍ତିକରଣକୁ ଦଳ ଗୁରୁତ୍ବ ଦେଇ ଆସିଛି । ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣ ଆନ୍ଦୋଳନରେ ପରିଣତ ହୋଇଛି। ମା’ ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।

ଗୋଟେ ନ ହେଲେ , ଅନ୍ୟ ଟି ହେବ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ । ଆଦିବାସୀ ଭାଇଭଉଣୀ ହୁଅନ୍ତୁ ବା
ଦଳିତ ଭାଇଭଉଣୀ ହୁଅନ୍ତୁ ବା ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ । ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ ଏବଂ ବିଜେଡି ସବୁବେଳେ ମାଲକାନଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ,ବରଗଡରୁ ପୁରୀ ପର୍ଯ୍ୟନ୍ତ, ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। ସାମଗ୍ରିକ ଅଭିବୃଦ୍ଧି ଓ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ଆମର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଶାର ଯାହା ଯାହା ସମସ୍ୟା ରହିଛି, ତାକୁ ଦୂରଦୃଷ୍ଟିରେ ରଖିକି ପେଷାଦାର ମନୋବୃତ୍ତି ସହିତ ବିଜେଡି କାମ କରୁଛି। ସେ ବନ୍ୟା, ବାତ୍ୟା ହେଉ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ପୃଥିବୀରେ ସୁନାମ କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛୁ । ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି ବହୁତ ପୁଞ୍ଜି ନିବେଶ ଆମ ପାଖକୁ ଆସୁଛି । ଏହାଦ୍ୱାରା ପିଲାମାନଙ୍କୁ ଚାକିରୀ ମିଳିବ । ରାଜ୍ୟର ଉନ୍ନତି ହେବ ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେଥିପାଇଁ କୋଭିଡ ମହାମାରୀ ଟାଇମରେ ଟେଷ୍ଟିଂରୁ ଟ୍ରିଟମେଣ୍ଟ ମାଗଣାରେ ଦିଆଗଲା । ଓଡିଶା ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇଲା । ବିଏସକେ ୱ।ଇ ଭଲି କ୍ରାନ୍ତିକାରୀ ଯୋଜନା ଲାଗୁ କରାଗଲା ।

ଆମର କମିଟମେଣ୍ଟ ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତାକୁ ଭିତ୍ତି କରି କାମ କରୁଛୁ ବୋଲି ନବୀନ କହିଛନ୍ତି। ଦେଶ ବିଦେଶରେ ଆମ ସରକାର ଓ ଆମ ଶାସନ ମଡେଲକୁ ସମସ୍ତେ ପ୍ରଶଂସା କରୁଛନ୍ତି। ୫-ଟି ନୀତି ଆଧାରରେ ପେଷାଦାର ଭାବେ ସରକାର ଚାଲୁଛି । ଲୋକଙ୍କ ଆବଶ୍ୟକତା ଅନୁସାରେ ସରକାର ଚଳାଯାଉଛି । ମୋ ସରକାର ଭଳି ପଦକ୍ଷେପରୁ ନାଗରିକଙ୍କ ଫିଡବ୍ୟାକ ମିଳୁପାରୁଛି ସଫଳତା ପାଇଁ ବିଜେଡିର କର୍ମୀମାନଙ୍କୁ ଶ୍ରେୟ ଦେଇଛନ୍ତି ନବୀନ । ଲକ୍ଷ ଲକ୍ଷ କର୍ମୀ ବିଜେଡିର ଆତ୍ମା ବୋଲି କହିଛନ୍ତି ନବୀନ । ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ।

ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର ଭାଗୀଦାରି ରହିବା କଥା। ଆମ ସ୍ବପ୍ନର ଓଡିଶା ଗଠନ କରିବାରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ। ସେ କହିଛନ୍ତି ଯେ,ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ସେ ଆଉ ସେ କଥା କହିବା ଦରକାର ନାହିଁ । ଏହା ସାରା ବିଶ୍ୱ ଜାଣିଛି ଓ ଦେଖୁଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ।

ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡିଶା ମା’ ର ସେବା କରିବାକୁ ଯେଉଁମାନେ ଚାହୁଁଛନ୍ତି ,ସେମାନେ ସମସ୍ତେ ବହୁ ସଂଖ୍ୟାରେ ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ନବୀନ। ଯେଉଁମାନେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖୁଛନ୍ତି, ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ । ଏ ଦଳ ବିଜୁ ଜନତା ଦଳ ଓଡିଶା ର ଦଳ ବୋଲି ସେ କହିଛନ୍ତି। କାରଣ ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ହିଁ ରହିବ। ସେମାନଙ୍କ ଏଜେଣ୍ଡାରେ ଓଡିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ। ମା’ ମାନେ ଆଗେଇ ଆସି ଦାୟିତ୍ଵ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ନବୀନ। ସେ କହିଛନ୍ତି ଯେ, ମା’ ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେ ବର୍ଷ ବି ସେବା କରି ଚାଲିବ .ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନ ର ଜୟ ନାଦ କରିଚାଲି ଥିବ ବୋଲି ନବୀନ କହିଛନ୍ତି।