୨୦୧୯ ଲାଞ୍ଚ ମାମଲାରେ ତତ୍କାଳୀନ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍ | News Room Odisha

୨୦୧୯ ଲାଞ୍ଚ ମାମଲାରେ ତତ୍କାଳୀନ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍

ଫୁଲବାଣୀ – ୨୦୧୯ରେ ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସମର ବିଳାଶ ବେହେରା ଆଦେଶ ଦେଇଛନ୍ତି । ରଞ୍ଜନ କିଶୋର ବର୍ତ୍ତମାନ ନବରଙ୍ଗପୁର ଜିଲା ଶ୍ରମ ଅଧିକାରୀ ଅଛନ୍ତି ।

୨୦୧୯ ମସିହା ନଭେମ୍ବରରେ ଟିକାବାଲି ଅଞ୍ଚଳର ୪ଜଣ ହିତାଧିକାରୀଙ୍କର ମୃତ୍ୟୁକାଳୀନ ସହାୟତା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ପରିବାର ଆବେଦନ କରିଥିଲେ। ଏହି ସହାୟତା ଯୋଗାଇବା ପାଇଁ ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ୪ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ। ଏନେଇ ତତ୍କାଳୀନ ଶ୍ରମିକ ସଂଗଠନ ନେତା ବାବୁଜା ପ୍ରଧାନ ଫୁଲବାଣୀ ଭିଜିଲାନ୍ସରେ ନଭେମ୍ବର ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ୨୦୧୯ ନଭେମ୍ବର ୭ ତାରିଖରେ ବାବୁଜା ପ୍ରଧାନ ଟଙ୍କା ଦେଲା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ରଞ୍ଜନଙ୍କୁ ଧରିଥିଲା। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଆଜି ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସମର ବିଳାଶ ବେହେରା ମାମଲାର ଶୁଣାଣି କରି ରଞ୍ଜନ କିଶୋରଙ୍କୁ ଦଣ୍ଡାଦେଶ ଦେଇଛନ୍ତି।