ସୂଚନା ଓ ଲୋକସମ୍ପର୍କ ବିଭାଗରେ ପ୍ରମୁଖ ଶାସନ ସଚିବଙ୍କୁ ନୂଆବର୍ଷ ସ୍ୱାଗତ ସମ୍ବର୍ଦ୍ଧନା : ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାମ କରିବାକୁ ଅଧିକାରୀ, କର୍ମଚାରୀଙ୍କୁ ସଚିବଙ୍କ ପରାମର୍ଶ | News Room Odisha

ସୂଚନା ଓ ଲୋକସମ୍ପର୍କ ବିଭାଗରେ ପ୍ରମୁଖ ଶାସନ ସଚିବଙ୍କୁ ନୂଆବର୍ଷ ସ୍ୱାଗତ ସମ୍ବର୍ଦ୍ଧନା : ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାମ କରିବାକୁ ଅଧିକାରୀ, କର୍ମଚାରୀଙ୍କୁ ସଚିବଙ୍କ ପରାମର୍ଶ

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଅଟେ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କିନ୍ତୁ ସେମାନଙ୍କର କାର୍ଯ୍ୟକୁ ଆହୁରି ଭଲ ଭାବେ ନିର୍ବାହ କରିବାକୁ ଏଣିକି ଧାର୍ଯ୍ୟଲକ୍ଷ୍ୟ ନେଇ ଅଧିକାରୀମାନେ କାର୍ଯ୍ୟ କରିବାକୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି । ବର୍ଷର ପ୍ରଥମ କାର୍ଯ୍ୟ ଦିବସରେ ପ୍ରମୁଖ ଶାସନ ସଚିବ ସିଂ ବିଭାଗ ପରିଦର୍ଶନ କରିଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନେ ସ୍ବାଗତ କରିଥିଲେ ଏବଂ ସଚିବ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଏହି ଅବସରରେ ଆୟୋଜିତ ସଭାରେ ପ୍ରମୁଖ ଶାସନ ସଚିବ ଯୋଗଦେଇ ବିଭାଗର ଅଧିକାରୀମାନଙ୍କୁ କହିଲେ ଯେ , ଜିଲ୍ଲାରେ ରାଜ୍ୟ ସରକାରଙ୍କର ବହୁ ଭଲ ଭଲ କାର୍ଯ୍ୟ କରାଯାଉଛି । ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ଭଲ ସଫଳ କାହାଣୀ ବିଭାଗକୁ ପଠାନ୍ତୁ ; ଯଦ୍ବାରାକି ଏହା ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁରେ ପ୍ରକାଶନ ହୋଇପାରିବ ।

ସେହିପରି ରାଜ୍ୟସ୍ତରରେ କାର୍ଯ୍ୟରତ ସୂଚନା ଅଧିକାରୀମାନେ ସେମାନଙ୍କୁ କାର୍ଯ୍ୟନ୍ୟସ୍ତ କରାଯାଇଥିବା ବିଭାଗରୁ ପ୍ରତି ମାସରେ ଅନ୍ତତଃ ଗୋଟିଏ ଲେଖାଏଁ ସଫଳ କାହାଣୀ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପ୍ରେରଣ କରିବାକୁ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସବୁ ସଫଳ କାହାଣୀକୁ ନେଇ ବିଭାଗ ଦ୍ବାରା ଏକ ସଂକଳନ ପ୍ରକାଶନ କରିବାକୁ ସେ କହିଥିଲେ । ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ତରଫରୁ ବାର୍ଷିକ ପ୍ରଶିକ୍ଷଣ ମୋଡ୍ୟୁଲ ପ୍ରସ୍ତୁତ କରାଯିବା , ଅନ୍ୟ ରାଜ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ କିପରି କାର୍ଯ୍ୟ କରୁଛନ୍ତି , ତାହାର କାର୍ଯ୍ୟଶୈଳୀ ଏବଂ ଭଲ କାର୍ଯ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଅଧିକାରୀମାନଙ୍କୁ ଅନ୍ୟ ରାଜ୍ୟ ପରିଦର୍ଶନରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ବିଭାଗର ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇବା ସହିତ ଇତି ମଧ୍ୟରେ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ଓ କ୍ୟାଡର ପୁନର୍ଗଠନ ହୋଇଥିବା ପ୍ରକାଶ କରିଥିଲେ ।

ବୈଠକରେ ବିଭାଗର ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ ଏବଂ ବିଶ୍ୱଜିତ ଦାଶଙ୍କ ସମେତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଉପ ନିର୍ଦ୍ଦେଶକ , ବିଭିନ୍ନ ଶାଖାର ପଦାଧ୍ୟାକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।