ପୁଣି ଚର୍ଚ୍ଚାରେ ପୂର୍ବତନ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା: ଗିରଫ ଓକିଲଙ୍କ ମଧ୍ଯରୁ ୨ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ | News Room Odisha

ପୁଣି ଚର୍ଚ୍ଚାରେ ପୂର୍ବତନ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା: ଗିରଫ ଓକିଲଙ୍କ ମଧ୍ଯରୁ ୨ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ସମ୍ବଲପୁର: ଗତ ୨୦୧୨ ମସିହାରେ ଓକିଲ ସଂଘ ଏବଂ ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦରସ୍ବାଲଙ୍କ ମଧ୍ଯରେ ହୋଇଥିବା ବିବାଦ ୧୦ ବର୍ଷ ପରେ ତାଜା ହୋଇଛି। ଗତ ୧୨ ତାରିଖ ସତ୍ୟାଗ୍ରହ ବେଳେ ଗଣ୍ଡଗୋଳ ଘଟଣାରେ ଗିରଫ ଓକିଲଙ୍କ ମଧ୍ଯରୁ ୨ ଜଣଙ୍କୁ ରିମାଣ୍ଡରେ ନେବାକୁ ଆଜି ସମ୍ବଲପୁର କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି।

କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସମ୍ବଲପୁର ଆସିଛନ୍ତି। ସେମାନେ ମୃଣାଳିନୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ଖୋଳତାଡ କରିଛନ୍ତି। ତେବେ, ବର୍ତ୍ତମାନ ସତ୍ୟାଗ୍ରହ ବେଳେ ଗଣ୍ଡଗୋଳ ଘଟଣାରେ ଗିରଫ ୩୨ ଜଣଙ୍କ ମଧ୍ଯରୁ ଦୁଇଜଣ ମୃଣାଳିନୀଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ନେଇ ଚିହ୍ନଟ କରିଛନ୍ତି। ଫଳରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବା ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାଛଡା ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ଯ ଚିହ୍ନଟ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ଯ ଯେ, ଜମିର ବେଞ୍ଚ ମାର୍କ ଭେଲୁଏସନ୍ ଏବଂ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗକୁ ନେଇ ଓକିଲ ସଂଘ ଏବଂ ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତି ଦରସ୍ବାଲଙ୍କ ମଧ୍ଯରେ ବିବାଦ ସୃଷ୍ଟି ହୋଇଥିଲା। ଏପରିକି ଶ୍ରୀମତି ଦରସ୍ବାଲଙ୍କୁ ଆକ୍ରମଣ ଅଭିଯୋଗ ବି ହୋଇଥିଲା।