ଓଡ଼ିଶା ପ୍ରସଙ୍ଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟକୁ ବିଜେଡିର ନାପସନ୍ଦ | News Room Odisha

ଓଡ଼ିଶା ପ୍ରସଙ୍ଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟକୁ ବିଜେଡିର ନାପସନ୍ଦ

ଭୁବନେଶ୍ବର – ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପଦର ମର୍ଯ୍ୟାଦା ରକ୍ଷା କରୁନାହାନ୍ତି । ଛତିଶଗଡର ରାଜ୍ୟପାଳ ହୋଇ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିବା ସହ ରାଜନୈତିକ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ଅପିଲ୍ କରିଛି । ରାଜ୍ୟପାଳଙ୍କ ଏଭଳି ରାଜନୈତିକ ମନ୍ତବ୍ୟ ଅଶୋଭନୀୟ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ଦେଶର ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ବିଭିନ୍ନ ରାଜ୍ୟରେ ନିଯୁକ୍ତି ପାଉଥିବା ଓଡିଆ ରାଜ୍ୟପାଳଙ୍କୁ ନେଇ ରାଜ୍ୟ ସବୁବେଳେ ଗର୍ବ କରେ । କିନ୍ତୁ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବା ପରେ ସେମାନେ ସମ୍ବିଧାନର ନୀତିନିୟମରେ କାମ କରିବା କଥା । ସମ୍ବିଧାନର ଧାରା ୧୫୩ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ କ୍ଷମତା ଓ ଭୂମିକା ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ସେମାନେ କୌଣସି ରାଜନୈତିକ ଦଳ ସହ ଯୋଡିହେବା ଉଚିତ ନୁହେଁ । ଏପରିକି ନିରପେକ୍ଷତା ଅବଲମ୍ବନ କରିବାକୁ ରାଜନୈତିକ ଟିପ୍ପଣୀ ମଧ୍ୟ ଦେବା ଉଚିତ ନୁହେଁ । କିନ୍ତୁ ଗତ କିଛି ଦିନ ହେଲା ଛତିଶଗତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯେଉଁଭଳି ଓଡିଶା ବାବଦରେ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ପଦ ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।