ସିକିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ ସରୋଜ ଦାସ | News Room Odisha

ସିକିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ ସରୋଜ ଦାସ

ଭୁବନେଶ୍ୱର – ସିକିମର ବାଦଲଫଟା ବର୍ଷା ଜନିତ ଭୟଙ୍କର ବନ୍ୟାରେ ଓଡ଼ିଆ ଯବାନ ସରୋଜ ଦାସ ସହିଦ ହୋଇଛନ୍ତି। ବନ୍ୟାରେ ଭାସିଯାଇଥିବା ୨୩ ଯବାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗାଁର ସରୋଜ ବି ଥିଲେ । ଭିଡିଓ କଲ ଜରିଆରେ ସରୋଜଙ୍କ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଳୟଙ୍କରୀ ବନ୍ୟା ପାଣିରେ ଭାସି ଯାଇଥିଲେ ସରୋଜଙ୍କ ସମେତ ୨୩ ଭାରତୀୟ ଯବାନ। କେବଳ ଜଣଙ୍କୁ ହିଁ ଜୀବିତ ଉଦ୍ଧାର କରାଯାଇଛି।

ହାବିଲଦାର ସରୋଜ ୨୦୧୨ ମସିହା ସେପ୍ଟେମ୍ବର ମାସରେ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇଥିଲେ। ମାସେ ତଳେ ତାଙ୍କର ପଦୋନ୍ନତି ହୋଇଥିଲା । ୧୫ ଦିନ ଟ୍ରେନିଂ ନେଇଥିଲେ। ଟ୍ରେନିଂରୁ ଫେରିବା ପରେ ସିକ୍କିମ୍‌ରେ ହୋଇଥିବା ବନ୍ୟାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଗତ ଅଗଷ୍ଟରେ ସେ ଛୁଟିରେ ଘରକୁ ଆସିଥିଲେ।