ଆଇପିଏଲ୍-୨୦୨୨ ମେଗା ନିଲାମ ପାଇଁ ଚୂଡ଼ାନ୍ତ ତାଲିକାରେ ୫୯୦ ଖେଳାଳି | News Room Odisha

ଆଇପିଏଲ୍-୨୦୨୨ ମେଗା ନିଲାମ ପାଇଁ ଚୂଡ଼ାନ୍ତ ତାଲିକାରେ ୫୯୦ ଖେଳାଳି

ନୂଆଦିଲ୍ଲୀ: ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ର ମେଗା ନିଲାମ ସହ ଜଡିତ ବଡ ଘୋଷଣା କରିଛି। ଏହି ଦୁଇ ଦିନିଆ ମେଗା ନିଲାମ ପାଇଁ ଖେଳାଳି ତାଲିକା ଚୂଡାନ୍ତ ହୋଇଛି | ଆଇପିଏଲ୍ ୨୦୨୨ର ମେଗା ନିଲାମ ପାଇଁ ୧୨୦୦ ରୁ ଅଧିକ କ୍ରିକେଟର ନିଜ ନାଁ ପଞ୍ଜୀକରଣ କରିଥିଲେ ମଧ୍ୟ ୫୯୦ ଖେଳାଳିଙ୍କ ନିଲାମ ହେବ। ଆଇପିଏଲର ୧୫ତମ ସିଜନ୍ ପାଇଁ ମେଗା ନିଲାମ ୧୨ ଏବଂ ୧୩ ଫେବୃଆରୀ ୨୦୨୨ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଦଳର ମାଲିକ ଏବଂ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ |

ଆଇପିଏଲ୍ ୨୦୨୨ ମେଗା ନିଲାମରେ ଅଂଶ ହେବାକୁ ଥିବା ୫୯୦ ଖେଳାଳିଙ୍କ ମଧ୍ୟରୁ ୨୨୮ ଜଣ ହେଉଛନ୍ତି କ୍ୟାପଡ୍ ଏବଂ ୩୫୫ ଅନକ୍ୟାପଡ୍ | କ୍ୟାପଡ୍ ଅର୍ଥ ହେଉଛି ସେମାନେ ଭାରତ କିମ୍ବା ଅନ୍ୟ କୌଣସି ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି | ଅନ୍ୟପକ୍ଷରେ ଅନକ୍ୟାପଡ୍ ଖେଳାଳି ଅର୍ଥ ସେମାନେ ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଘରୋଇ କ୍ରିକେଟ୍ କିମ୍ବା ଲିଗ୍ କ୍ରିକେଟ୍ ଖେଳିଛନ୍ତି, କିନ୍ତୁ ସେମାନଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ମିଳିନାହିଁ | ଆସୋସିଏଟ୍ ଦେଶ ଗୁଡିକର ୭ ଜଣ ଖେଳାଳି ମଧ୍ୟ ମେଗା ନିଲାମରେ ସାମିଲ ହେବେ ।

 

ଭାରତର ପ୍ରମୁଖ ଖେଳାଳିଙ୍କ ବିଷୟରେ କୁହାଗଲେ ଶ୍ରେୟସ୍ ଆୟର, ଶିଖର ଧାୱନ, ଆର ଅଶ୍ୱିନ, ମହମ୍ମଦ ଶାମି, ଇଶାନ କିଶନ, ଅଜିଙ୍କ୍ୟ ରାହାନେ, ସୁରେଶ ରାଇନା, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ହର୍ଷଲ ନିଲାମରେ ଅଛନ୍ତି। ପଟେଲଙ୍କ ପରି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ଉପରେ ମୋଟା ଅଙ୍କ ପାଇପାରନ୍ତି | ଏହାଛଡା ଫାଫ୍ ଡୁ ପ୍ଲେସିସ୍, ଡେଭିଡ୍ ୱାର୍ଣ୍ଣର, ପ୍ୟାଟ୍ କମିନ୍ସ, କାଗିସୋ ରାବାଡା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ୍ ଡି କକ୍, ଜନି ବେୟାରଷ୍ଟୋ, ଜେସନ ହୋଲ୍ଡର, ଡୱେନ ବ୍ରାଭୋ, ଶାକିବ ଅଲ ହାସନ ଏବଂ ୱାନିଣ୍ଡୁ ହାସାରାଙ୍ଗା ଭଳି ବରିଷ୍ଠ ଖେଳାଳି ବି ଅଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ଏଥର ୧୦ଟି ଟିମ୍ ଆଇପିଏଲ୍ ର ଅଂଶ ହେବ | ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସହ ଏଥର ଦୁଇ ନୂଆ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଅହମ୍ମଦାବାଦ ଆଇପିଏଲରେ ଯୋଡ଼ି ହେବେ ।