ଆରମ୍ଭ ହେଲା ୫ଜି ସ୍ପେକ୍ଟ୍ରମ ନିଲାମ, ଦୌଡ଼ରେ ଚାରି କମ୍ପାନୀ | News Room Odisha

ଆରମ୍ଭ ହେଲା ୫ଜି ସ୍ପେକ୍ଟ୍ରମ ନିଲାମ, ଦୌଡ଼ରେ ଚାରି କମ୍ପାନୀ

ନୂଆଦିଲ୍ଲୀ: ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଛି । ଏଥିରେ ୪.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୭୨ ଗିଗାହର୍ଜ ସ୍ପେକ୍ଟ୍ରମ ପାଇଁ ନିଲାମ କରାଯିବ | ମଙ୍ଗଳବାର ସକାଳ ୧୦ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିପାରେ | ନିଲାମ ପ୍ରକ୍ରିୟା ଆଗକୁ ଜାରି ରହିବ ନାହିଁ ତାହା ବିଡରଙ୍କ ରଣନୀତି ଉପରେ ନିର୍ଭର କରିବ। ୫ଜି ସ୍ପେକ୍ଟ୍ରମ ଦୌଡ଼ରେ ଚାରି ଟେଲିକମ୍ କମ୍ପାନୀ ସାମିଲ୍ ହୋଇଛନ୍ତି । ରିଲାଏନ୍ସ ଜିଓ, ​​ଭାରତ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବ୍ୟତୀତ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ୫ଜି ରେସରେ ରହିଛି ।

ଟେଲି ଯୋଗାଯୋଗ ବିଭାଗ ୫ଜି ସ୍ପେକ୍ଟ୍ରମର ନିଲାମରୁ ୭୦,୦୦୦ କୋଟିରୁ ୧,୦୦,୦୦୦ କୋଟି ଟଙ୍କା ମଧ୍ୟରେ ରାଜସ୍ୱ ପାଇବ ବୋଲି ଆଶା କରାଯାଉଛି। ରିଜର୍ଭ ମୂଲ୍ୟରେ ସ୍ପେକ୍ଟ୍ରମ୍ ବିକ୍ରି ହେବ ବୋଲି ଶିଳ୍ପ ଜଗତ ଆଶାବାଦୀ ରହିଛି | ଦେଶରେ ସେପ୍ଟେମ୍ବର ମାସରୁ ୫ଜି ସେବା ଆରମ୍ଭ ହୋଇପାରେ । ୫ଜି ସେବା ଦ୍ଵାରା ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ପଥ ପରିଷ୍କାର ହେବ | ସମ୍ପ୍ରତି ୪ଜି ଅପେକ୍ଷା ୫ଜି ଇଣ୍ଟରନେଟ ସ୍ପିଡ୍ ପ୍ରାୟ ୧୦ ଗୁଣ ଅଧିକ |