‘ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା’: ଗଞ୍ଜାମର ୧୩୦ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ କମିଟି ସହ ୫-ଟି ସଚିବଙ୍କ ଆଲୋଚନା | News Room Odisha

‘ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା’: ଗଞ୍ଜାମର ୧୩୦ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ କମିଟି ସହ ୫-ଟି ସଚିବଙ୍କ ଆଲୋଚନା

ଛତ୍ରପୁର : ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇପାରିବ। ଭବିଷ୍ୟତ ପିଢ଼ି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ। ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଯାହା ସ୍ଵପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହାୟକ ହେବ। କରୋନା ସମୟରେ ଦେଶର ଅର୍ଥନୀତି ଭୁଶୁଡ଼ି ଯାଇଛି। ତଥାପି ସେହି ସମୟରେ ମୁଖ୍ୟମନ୍ତ୍ରୀ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି। ତେଣୁ ଏହାର ଗୁରୁତ୍ଵ ବୁଝି ଅର୍ଥର ସୁବିନିଯୋଗ ସହ ସବୁଥିରେ ସ୍ଵଚ୍ଛତା ବଜାୟ ରଖି କମ୍ୟୁନିଟି ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଦ୍ବିତୀୟ ପର୍ଯ୍ୟାୟ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆଜି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଆଭାସୀ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି। ସେ ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବେଲଗୁଣ୍ଠା, ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସିକା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଦ୍ୟାଳୟ କମିଟି ସଭାପତି, ପୂର୍ବତନ ବିଦ୍ୟାର୍ଥୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସରପଞ୍ଚ, ବିଡିଓମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ସେ ପୋଲସରା, ଚିକିଟି, ଜଗନ୍ନାଥପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡା, କବିସୂର୍ଯ୍ୟନଗର, ସୋରଡା ଏବଂ ଗଞ୍ଜାମ ଆଦି ୧୦ଟି ବ୍ଲକ୍‌ର ବ୍ୟକ୍ତିବିଶେଷଙ୍କ ସହିତ ଭର୍ଚୁଆଲ ମୋଡରେ ଆଲୋଚନା କରିବେ। ଏହି ଆଲୋଚନା ସମୟରେ ସରକାରୀ ଉଚ୍ଚବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ସକାଶେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଗଞ୍ଜାମ ଜିଲ୍ଲାରେ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଯେପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେଥିନେଇ ୫-ଟି ସଚିବ ଗୁରୁତ୍ବାରୋପ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଯେ- ଜିଲ୍ଲାରେ ସର୍ବପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ୫୦ ଗୋଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ଏବଂ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହେବାକୁ ଯାଉଛି। ସେ ମଧ୍ୟ ଏହି ରୂପାନ୍ତରିତ କାର୍ଯ୍ୟ ସମାପନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶୁକ୍ରବାର ଆଭାସୀ ଆଲୋଚନା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।