ଭାରତ-ଆମେରିକା ସମ୍ପର୍କ ପାଇଁ ମୋଦିଙ୍କ '୫-ଟି' ମନ୍ତ୍ର | News Room Odisha

ଭାରତ-ଆମେରିକା ସମ୍ପର୍କ ପାଇଁ ମୋଦିଙ୍କ ‘୫-ଟି’ ମନ୍ତ୍ର

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ‘୫-ଟି’ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ‘୫-ଟି’ ଦୁଇ ଦେଶର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ‘୫-ଟି’ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି ତାହା ହେଉଛି – ଟ୍ରେଡିସନ (ପରମ୍ପରା), ଟାଲେଣ୍ଟ (ପ୍ରତିଭା), ଟେକ୍ନୋଲୋଜି (ପ୍ରଯୁକ୍ତି ବିଜ୍ଞାନ), ଟ୍ରେଡ୍ (ବାଣିଜ୍ୟ) ଏବଂ ଟ୍ରଷ୍ଟିସିପ୍ (ବିଶ୍ୱାସ) । ଏହି ୫-ଟି ଭାରତ-ଆମେରିକା ସହଭାଗିତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ହିନ୍ଦୀରେ ଉଦ୍ଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୧୪ ଏବଂ ୨୦୧୬ରେ ହୋଇଥିବା ପୂର୍ବ ବୈଠକରେ ସେ ବିସ୍ତୃତ ଭାବରେ ଆଲୋଚନା କରିବାର ସୁଯୋଗ ପାଇଥିଲେ। ସେ କହିଛନ୍ତି ଯେ ରାଷ୍ଟ୍ରପତି, ସେତେବେଳେ ଭାରତ-ଆମେରିକା ସମ୍ପର୍କ ପାଇଁ ଆପଣଙ୍କର ଦୃଷ୍ଟିକୋଣ ପ୍ରେରଣାଦାୟକ ଥିଲା। ଆଜି ରାଷ୍ଟ୍ରପତି ଭାବରେ ଆପଣ ସେହି ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି |

ଦ୍ୱିପାକ୍ଷିକ ସମ୍ପର୍କର ଭବିଷ୍ୟତ ବିଷୟରେ ମୋଦି କହିଛନ୍ତି, ଏହା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଏବଂ ତୃତୀୟ ଦଶନ୍ଧିର ପ୍ରଥମ ବର୍ଷ। ଯେତେବେଳେ ମୁଁ ଏକ ଦଶନ୍ଧି ପଛକୁ ଦେଖେ, ମୁଁ ଜାଣେ ଯେ ଆପଣଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କର ବ୍ୟାପକତା ପାଇଁ ମଞ୍ଜି ବୁଣାଯାଇଛି | ଏହା ବିଶ୍ବର ସମସ୍ତ ଗଣତାନ୍ତ୍ରିକ ଦେଶ ପାଇଁ ଏକ ପରିବର୍ତ୍ତନଶୀଳ ଯୁଗ ହେବାକୁ ଯାଉଛି | ମୁଁ ଏହାକୁ ଅତି ସ୍ପଷ୍ଟ ଭାବରେ ଦେଖିପାରୁଛି। ପରମ୍ପରାକୁ ଉଦ୍ଧୃତ କରି ମୋଦି କହିଛନ୍ତି ଯେ ଉଭୟ ଦେଶ ଗଣତାନ୍ତ୍ରିକ ପରମ୍ପରା ଏବଂ ମୂଲ୍ୟବୋଧ ପାଇଁ ପ୍ରତିଶ୍ରୁତିବଦ୍ଧ ।

ପ୍ରତିଭା ଉପରେ ସେ ଆମେରିକାର ପ୍ରଗତିରେ ସହଯୋଗ କରିଥିବା ପ୍ରାୟ ଚାରି ନିୟୁତ ଭାରତୀୟ-ଆମେରିକୀୟଙ୍କ ଉଦାହରଣ ଦେଇ କହିଛନ୍ତି ଯେ ଯେତେବେଳେ ମୁଁ ଏହି ଦଶନ୍ଧିର ମହତ୍ତ୍ୱ ଏବଂ ଭାରତୀୟ-ଆମେରିକୀୟଙ୍କ ଭୂମିକାକୁ ଦେଖେ, ସେତେବେଳେ ମୁଁ ଭାବୁଛି ଯେ ଲୋକଙ୍କ ପ୍ରତିଭା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ବଡ଼ ଭୂମିକା ନିଭାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଯୁକ୍ତି ବିଜ୍ଞାନ ବା ଟେକ୍ନୋଲୋଜି ଆଜି ବିକାଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ମାନବିକତାର ସେବା ପାଇଁ ଟେକ୍ନୋଲୋଜିର ବ୍ୟବହାର ହେଉଛି ଏବଂ ଆଗକୁ ମଧ୍ୟ ହେବ । ମୁଁ ଭାବୁଛି ଏଥିପାଇଁ ବହୁତ ବଡ଼ ସୁଯୋଗ ମିଳିବ। ବାଣିଜ୍ୟ ପ୍ରସଙ୍ଗରେ ସେ କହିଛନ୍ତି ଯେ ଭାରତ-ଆମେରିକା ବାଣିଜ୍ୟ ପ୍ରକୃତରେ ପରସ୍ପରର ପରିପୂରକ |

ଟ୍ରଷ୍ଟିସିପ୍ ବା ବିଶ୍ୱସନୀୟତା ସମ୍ପର୍କର ମୋଦି ଅକ୍ଟୋବର ୨ ମହାତ୍ମା ଗାନ୍ଧୀ ଜୟନ୍ତୀର ଉଦାହରଣ ଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ ସର୍ବଦା

ଟ୍ରଷ୍ଟିସିପ୍ ନୀତି ଉପରେ ଗୁରୁତ୍ୱାରୋପ କରୁଥିଲେ। ଆମ ପାଖରେ ଯାହା ଅଛି ତାହା ଆମକୁ ଭବିଷ୍ୟତ ପିଢିକୁ ଦେବାକୁ ପଡିବ । ଏବଂ ଟ୍ରଷ୍ଟିସିପର ଏହି ଭାବନା ​​କେବଳ ଭାରତ-ଆମେରିକା ସମ୍ପର୍କ ନୁହେଁ ବିଶ୍ୱବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ହେବ।