ଖାଉଟି ସୁରକ୍ଷାକୁ ପ୍ରାଥମିକତା: ରାଜ୍ୟ ସରକାର ଗଠନ କଲେ ୮୫ ଜଣିଆ ପରିଷଦ | News Room Odisha

ଖାଉଟି ସୁରକ୍ଷାକୁ ପ୍ରାଥମିକତା: ରାଜ୍ୟ ସରକାର ଗଠନ କଲେ ୮୫ ଜଣିଆ ପରିଷଦ

ଭୁବନେଶ୍ୱର: ରାଜ୍ୟର ଉପଭୋକ୍ତାମାନଙ୍କର ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠନ କରିଛନ୍ତି । ପରିଷଦରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଧ୍ୟକ୍ଷ ଥିବାବେଳେ ଏଥିରେ ମୋଟ ୮୫ ଜଣ ସଦସ୍ୟ ଅଛନ୍ତି ।

ବିଭିନ୍ନ ସାଂସଦ , ବିଧାୟକ , ଜିଲ୍ଲା ପରିଷଦ ସଭାପତି , ନଗର ନିଗମ ମେୟର , ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ବିଭିନ୍ନ ସ୍ଵେଚ୍ଛାସେବୀ ଉପଭୋକ୍ତା ସଂଗଠନର କର୍ମକର୍ତ୍ତା , ବିଭିନ୍ନ ବିଭାଗୀୟ ଶାସନ ସଚିବ , କୃଷକ , ବ୍ୟବସାୟୀ ଓ ଶିଳ୍ପ ସଂଗଠନର ପ୍ରତିନିଧ୍ ଓ ଅଧ୍ଵବକ୍ତା ଏବଂ ରାଜ୍ୟ ଓ ବିଭିନ୍ନ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତିମାନଙ୍କୁ ନେଇ ପରିଷଦ ଗଠନ କରାଯାଇଛି । ପରିଷଦରେ କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି । ଏହା ବ୍ୟତୀତ କୃଷକ , ବ୍ୟବସାୟୀ ଓ ବାଣିଜ୍ୟ , ଶିଳ୍ପ ଓ ଉପଭୋକ୍ତାମାନଙ୍କ ମନୋନୀତ ପ୍ରତିନିଧିମାନେ ମଧ୍ୟ ପରିଷଦର ସଦସ୍ୟ ରହିଛନ୍ତି ।

ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ଭାବରେ ଆସ୍କାର ଲୋକସଭା ସାଂସଦ ପ୍ରମିଳା ବିଶୋଇ , ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ , ଅତାବିରାର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍ , ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମନୋନୀତ ହୋଇଛନ୍ତି । ସେହିପରି କଟକ ଏବଂ ଯାଜପୁର ଜିଲ୍ଲା ପରିଷଦର ସଭାପତି , ବ୍ରହ୍ମପୁର ମହାନଗର ନିଗମର ମେୟର , ବାରିପଦା , କୋରାପୁଟ ଓ କେନ୍ଦ୍ରାପଡ଼ା ମୁନିସିପାଲିଟିର ଅଧ୍ୟକ୍ଷ ଏହି ପରିଷଦର ସଦସ୍ୟ ଅଛନ୍ତି । ପରିଷଦରେ ଆଠଗଡ଼ , ନବରଙ୍ଗପୁର ଓ ପାରଳାଖେମୁଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷଙ୍କ ସମେତ କଣ୍ଟାମାଳ , ବଅଁରପାଳ , ଓଡ଼ଗାଁ , ଫିରିଙ୍ଗିଆ , ଜୁନାଗଡ଼ , ବିଷମକଟକ ଓ ବିନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷମାନଙ୍କୁ ସଦସ୍ୟ ଭାବରେ ରଖାଯାଇଛି ।

ପରିଷଦରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ଅର୍ଥ , କୃଷି ଓ କୃଷକ ସଶକ୍ତିକରଣ , ପଞ୍ଚାୟତିରାଜ ଓ ପାନୀୟ ଜଳ , ଗୃହ ଓ ନଗର ଉନ୍ନୟନ , ବାଣିଜ୍ୟ ଓ ପରିବହନ , ଶକ୍ତି , ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା , ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ଶିଳ୍ପ , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ , ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ବିଭାଗର ଶାସନ ସଚିବଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ।

ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଚିବ , ନବରଙ୍ଗପୁର , ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି , ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମ୍ / ଆରକ୍ଷୀ ଅଧୀକ୍ଷକ , ଅର୍ଥନୈତିକ ଅପରାଧ ଶାଖା , ଭୁବନେଶ୍ଵରଙ୍କୁ ସଦସ୍ୟ କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଉଟି କଲ୍ୟାଣ ନିର୍ଦ୍ଦେଶକ ପରିଷଦର ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ ।