ଲଘୁଚାପ ସକ୍ରିୟ : ୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ | News Room Odisha

ଲଘୁଚାପ ସକ୍ରିୟ : ୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ସକ୍ରିୟ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଚିହ୍ନିତ ହୋଇ ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି । ଏହାର ପ୍ରଭାବରେ ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ( ୧୪ ସେପ୍ଟେମ୍ବର, ଗୁରୁବାର ଅପରାହ୍ନ ମଧ୍ୟରେ ) ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ), ୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ଓ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୨୦ ସେମିରୁ ଅଧିକ) ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୨୪ ଘଣ୍ଟାରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ନୟାଗଡ଼, କଟକ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ କମଳା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ଗଜପତି, ରାୟଗଡ଼ା, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୨ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।