ସାମୂହିକ ସେବାରେ ଶୌଚାଳୟ ବ୍ୟବସ୍ଥା, ଆଗକୁ ହେବ ଅଧିକ ସଂଖ୍ୟକ ଶୌଚାଳୟ: ବିଏମ୍‌ସି | News Room Odisha

ସାମୂହିକ ସେବାରେ ଶୌଚାଳୟ ବ୍ୟବସ୍ଥା, ଆଗକୁ ହେବ ଅଧିକ ସଂଖ୍ୟକ ଶୌଚାଳୟ: ବିଏମ୍‌ସି

ଭୁବନେଶ୍ଵର: ଭୁବନେଶ୍ବର ମହାନଗର ନିଗମ ( ବିଏମ୍‌ସି) ଅଂଚଳକୁ ସଂପୂର୍ଶ ବାହ୍ୟ ମଳ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି । ଶତ ପ୍ରତିଶତ ବାହ୍ୟ ମଳ ମୁକ୍ତ କରିବା ପାଇଁ ବିଏମ୍‌ସି ବିଭିନ୍ନ ସ୍ତରରେ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛି । ଏହି କ୍ରମରେ ବିଏମ୍‌ସିର ତିନୋଟି ଜୋନ୍‌ର ଜନଗହଳି ତଥା ବାହାର ଲୋକଙ୍କ ଯାତାୟତ ସ୍ଥାନଗୁଡିକରେ ଅନେକ ଶୌଚାଳୟ ନିର୍ମାଣ କରାଯାଇଛି । ଶୌଚାଳୟ ଆମ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସହରୀ ଜୀବନ ଯାତ୍ରାରେ ଏହା ନିହାତି ଆବଶ୍ୟକ । ସେଥିପାଇଁ ଶୌଚାଳୟକୁ ପରିଷ୍କାର ରଖିବା, ଶୌଚାଳୟର ଉପଯୋଗ କରିବା ଏବଂ ଏହାକୁ ନେଇ ଗର୍ବ କରିବା ଉଭୟ ସରକାର ଏବଂ ନାଗରିକଙ୍କର ସାମୂହିକ ଦାୟିତ୍ଵ ବୋଲି କହିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ । ଉତ୍ତର ଜୋନ୍‌ର ମୋଟ ୪୧ଟି ସର୍ବସାଧାରଣ ଏବଂ ୧୪ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । ସର୍ବସାଧାରଣ ଶୌଚାଳୟରେ ମୋଟ ୧୮୦ଟି ସିଟ୍‌ ରହିଥିବା ବେଳେ ଗୋଷ୍ଠୀ ଶୌଚାଳୟରେ ମୋଟ ୩୨୩ଟି ସିଟ୍‌ ରହିଛି । ଏହି ଜୋନ୍‌ରେ ଆହୁରି ୭ଟି ଶୌଚାଳୟ ନିର୍ମାଣ ହେବା ପାଇଁ ପ୍ରସ୍ତାବ ରହିଛି । ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ମୋଟ ସର୍ବସାଧାରଣ ଶୌଚାଳୟ ୩୧ଟି ଥିବା ବେଳେ ୩ଟି ଗୋଷ୍ଠୀ ଶୌଚାଳୟ ରହିଛି । ଏହି ଦୁଇଟି ପ୍ରକାର ଶୌଚାଳୟରେ ମୋଟ ୧୦୨ଟି ଆସନ ବା ଗୃହ ରହିଛି । ଏହି ଜୋନ୍‌ରେ ଆହୁରି ୬ଟି ଶୌଚାଳୟ ନିର୍ମାଣ ହେବା ପାଇଁ ପ୍ରସ୍ତାବ ରହିଛି ।

ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ରେ ମୋଟ ୩୯ ଟି ସର୍ବସାଧାରଣ ଶୌଚାଳୟ ଓ ୩୫ଟି ଗୋଷ୍ଠୀ ଶୌଚାଳୟ ରହିଛି । ଏଥିରେ ଏକାବେଳକେ ୩୮୦ ଲୋକ ଶୌଚ ହୋଇପାରିବାର ସୁବିଧା ରହିଛି । ଆହୁରି ୧୪ଟି ଶୌଚାଳୟ ନିର୍ମାଣ ହେବା ପାଇଁ ଯୋଜନା ରହିଛି । ପ୍ରସ୍ତାବିତ କେତେକ ଶୌଚାଳୟ ପାଇଁ ଟେଣ୍ଡର ହୋଇସାରିଥିବା ବେଳେ କେତେକର କାମ ଆରମ୍ଭ ହୋଇଛି ଏବଂ ଆଉ କେତେକ ଶୌଚାଳୟର କାମ ଖୁବ୍‌ ଶୀଘ୍ର ଶେଷ ହେବ । ଏହା ବ୍ୟତୀତ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଇ-ଟଏଲେଟ ଓ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ମଧ୍ୟ ରହିଛି । ଗାନ୍ଧୀମାର୍ଗରେ ବିଭିନ୍ନ ଦାବି ନେଇ ଧାରଣାଦେବାକୁ ଆସୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭ୍ରାମ୍ୟମାଣ ଓ ଇ-ଟଏଲେଟ ବ୍ୟବସ୍ଥା କରାଯାଇଛି । ବାହ୍ୟ ମଳମୁକ୍ତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ବସ୍ତିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ତାହାର ବ୍ୟବହାର ଏବଂ ସ୍ବଚ୍ଛତା ମଧ୍ୟ ରକ୍ଷା କରାଯାଉଛି । ଟଏଲେଟ୍‌ଗୁଡିକୁ ପରିଷ୍କାର ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେପରିକି ଏଠାକୁ ଶୌଚ ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୌଚାଳୟର ଉପକାରିତା, ଶୌଚାଳୟର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଜନସାଧାରଣଙ୍କ କର୍ତ୍ତବ୍ୟ ଇଦ୍ୟାଦି ନିୟମିତ ଭାବେ କରାଯାଉଛି । ସୂଚନାଯୋଗ୍ୟ କି ରହିଥିବା ଶୌଚାଳୟଗୁଡିକ ମଧ୍ୟରେ କେତେକ ସ୍ଥାନରେ ଟାଇଲ ଛାଡି ଯିବା, ରଙ୍ଗ ଛାଡିଯିବା ଇତ୍ୟାଦି ଗୌଣ ମରାମତି କାର୍ଯ୍ୟ କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ପ୍ରାୟ ୮ ଗୋଟି ଶୌଚାଳୟ ଅକାମୀ ହୋଇପଡିଛି ।
ଏଗୁଡିକୁ ଯଥାଶୀଘ୍ର ମରାମତି ଓ ପୁନଃଉଦ୍ଧାର ପାଇଁ ପଦକ୍ଷେପ ଜାରି ରହିଛି । ସ୍ୱଚ୍ଛ ସାଥୀମାନେ ମଧ୍ୟ ଗୋଷ୍ଠୀରେ ଶୌଚାଳୟର ଯତ୍ନ ବାବଦରେ ବୁଝାଉଛନ୍ତି ବୋଲି କହିଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ।