ଓଡ଼ିଶା ଫେରିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ | News Room Odisha

ଓଡ଼ିଶା ଫେରିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ

ଭୁବନେଶ୍ୱର – ଓଡ଼ିଶା ଫେରିଛନ୍ତି ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ। ୫ ଜଣଙ୍କ ମଧ୍ୟରୁ ୪ ଜଣ ଫେରିଛନ୍ତି । ଆଉ ଜଣେ ପରେ ଆସିବେ । ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ୪ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବରରେ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଗତକାଲି ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ।

ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଜଣାଇଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର।