ବିଜେପି ସହ ସମ୍ପର୍କ ଛିନ୍ନ କଲେ ଏହି ଜଣାଶୁଣା ଅଭିନେତ୍ରୀ | News Room Odisha

ବିଜେପି ସହ ସମ୍ପର୍କ ଛିନ୍ନ କଲେ ଏହି ଜଣାଶୁଣା ଅଭିନେତ୍ରୀ

ଚେନ୍ନାଇ:ଜଣାଶୁଣା ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି) ସହ ୨୫ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦଳର ଏକ ଗୋଷ୍ଠୀ ତାଙ୍କ ପ୍ରତି ବିଶ୍ଵାସ ଘାତକତା କରିଥିବା ବ୍ୟକ୍ତିଙ୍କୁ ସମର୍ଥନ କରୁଛି ।

ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବିବୃତ୍ତିରେ ତଡିମଲ୍ଲା କହିଛନ୍ତି, ଆଶ୍ବାସନା ସତ୍ତ୍ୱେ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ଦଳ ତାଙ୍କ ଟିକେଟ୍ ଶେଷ ମୁହୂର୍ତ୍ତରେ ରଦ୍ଦ କରିଦେଇଥିଲା । ତଥାପି ସେ ଦଳ ପ୍ରତି ପ୍ରତିବଦ୍ଧତା ବଜାୟ ରଖିଥିଲେ ।

ସେ କହିଛନ୍ତି ଯେ ସେ ଭାରି ହୃଦୟ ଏବଂ ନିରାଶା ସହ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ ଦଳର ତାମିଲନାଡୁ ମୁଖ୍ୟ କେ ଅନ୍ନାମଲାଇ ଏବଂ ଅନ୍ୟମାନଙ୍କୁ ଟ୍ୟାଗ୍ କରିଛନ୍ତି |

ତଡିମଲ୍ଲା ଅଭିଯୋଗ କରିଛନ୍ତି ଯେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି “ଦସ୍ତାବିଜ୍ ଜାଲିଆତି କରି ମୋର ଟଙ୍କା, ସମ୍ପତ୍ତି ହଡ଼ପ କରିନେଇଥିଲେ । କିନ୍ତୁ ଏହି ମାମଲାରେ ଦଳ କି କୌଣସି ନେତା ମୋତେ ସମର୍ଥନ କରିନଥିଲେ । ମୁଁ ଜାଣିବାକୁ ପାଇଥିଲି ଯେ ଦଳର ଅନେକ ନେତା ସେହି ବ୍ୟକ୍ତିଙ୍କୁ ସକ୍ରିୟ ଭାବେ ସାହାଯ୍ୟ କରୁଛନ୍ତି ଯିଏକି ମୋ ପ୍ରତି ବିଶ୍ୱାସ ଘାତକତା କରିଥିଲେ।”

ସେ କହିଛନ୍ତି, ଏହି ଠକେଇ ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ବିଜେପିର କିଛି ନେତା ଅଭିଯୁକ୍ତ ବ୍ୟକ୍ତିଙ୍କୁ ଫେରାର କରିବାରେ ମଧ୍ୟ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ନ୍ୟାୟିକ ବ୍ୟବସ୍ଥା ତାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବେ ବୋଲି ଗୌତମୀ ଆଶା ବ୍ୟକ୍ତ କରିଛନ୍ତି ।