ଉଦଘାଟନୀ ହକି୫ ଏସିଆ କପରେ ଭାରତୀୟ ମହିଳା ଦଳ ଚାମ୍ପିୟନ, ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ | News Room Odisha

ଉଦଘାଟନୀ ହକି୫ ଏସିଆ କପରେ ଭାରତୀୟ ମହିଳା ଦଳ ଚାମ୍ପିୟନ, ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ

ମସ୍କଟ ( ଓମାନ) – ଭାରତୀୟ ମହିଳା ଦଳ ଉଦଘାଟନୀ ଏସିଆ କପ୍ ହକି୫ ( ଫାଇଭ-ଏ-ସାଇଡ) ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି। ଭାରତୀୟ ଦଳ ଫାଇନାଲରେ ଥାଇଲାଣ୍ଡକୁ ୭-୨ ଗୋଲରେ ମାତ୍ ଦେଇ ଚାମ୍ପିଅନ ହେବା ସହ ଆସନ୍ତାବର୍ଷ ହେବାକୁ ଥିବା ହକି୫ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛି । ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଚାମ୍ପିଅନ ହୋଇଛି। ନବଜ୍ୟୋତ କଉର ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଫାଇନାଲରେ ଭାରତ ପକ୍ଷରୁ ଓଡ଼ିଶା ଖେଳାଳି ମାରିଆନା କୁଜୁର ୨ଟି ଓ ଦୀପି ମୋନିକା ଟପ୍ପୋ ଗୋଟିଏ ଗୋଲ୍ ସ୍କୋରଥିଲେ ।
ଚାମ୍ପିୟନ ଭାରତୀୟ ଦଳ ପାଇଁ ହକି ଇଣ୍ଡିଆ ପକ୍ଷରୁ ଅର୍ଥ ପୁରସ୍କାର ଘୋଷଣା କରାଯାଇଛି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୨ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛି ହକି ଇଣ୍ଡିଆ।

ଚାମ୍ପିୟନ ଭାରତୀୟ ଦଳରେ ଓଡ଼ିଶାର ମାରିଆନା କୁଜୁର, ଅଜମିନା କୁଜୁର ଓ ଦୀପି ମୋନିକା ଟପ୍ପୋ ସ୍ଥାନ ପାଇଥିଲେ ।
ହକି୫ ହେଉଛି ଫିଲ୍ଡ ହକିର ସଙ୍କୁଚିତ ଫର୍ମାଟ। ଏଥିରେ ଦୁଇ ଦଳର ୫ ଜଣ ଲେଖାଏଁ ଖେଳାଳି ଖେଳନ୍ତି । ଖେଳର ଅବଧି ମୋଟ ୨୦ ମିନିଟ ।