ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ | News Room Odisha

ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେବା ସହ ପୋଲିସ ଅଧିକାରୀଙ୍କୁ ମାରପିଟ କରିଛନ୍ତି। ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଥାନା ଆଇଆଇସି ତପନ କୁମାର ନାହାକଙ୍କ ସମେତ ଅନ୍ୟ ଅଧିକରୀଙ୍କ ବିରୋଧରେ ପୂର୍ବରୁ ଅଞ୍ଚଳବାସୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମାତ୍ର କୌଣସି ପଦକ୍ଷେପ ନିଆ ନଯିବାରୁ ଶନିବାର ପୂର୍ବାହ୍ନରେ ପ୍ରଥମେ ଫୁଲବାଣୀ- ବାଲିଗୁଡା ରାସ୍ତାରୋକ କରିଥିଲେ। ପରେ ଅପରାହ୍ଣରେ ଥାନାରେ ନିଆଁ ଲଗାଇଦେବା ସହ ରାସ୍ତାରେ ପୋଲିସ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଦୃଶ୍ୟ ଭାଇରାଲ୍ ହୋଇଛି।

ଗତ ୩ ତାରିଖ ରାତିରେ ପୋଲିସ ଗାଡ଼ିରୁ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଲ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ ଅଞ୍ଚଳବାସୀ। ଫିରିଙ୍ଗିଆ ସରପଞ୍ଚ, ପୂର୍ବତନ ସରପଞ୍ଚ, ଗ୍ରାମବାସୀ ଗଞ୍ଜେଇ ଧରିବା ସହ ଭିଡିଓ ରେକର୍ଡିଂ କରିଥିଲେ। ସେବେଠାରୁ ଲୋକଙ୍କ ମନରେ ଥିବା ଆକ୍ରୋଶ ଶନିବାର ଉଗ୍ରରୂପ ନେଇଥିଲା ଓ ପୋଡ଼ାଜଳା ସହ ହିଂସାକାଣ୍ଡ ଘଟିଛି।

ଫିରିଙ୍ଗିଆ ଥାନା ପୋଡ଼ି ନେଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଘଟଣାସ୍ଥଳରେ ଫୁଲବାଣୀ ଏସପି ପହଞ୍ଚିଛନ୍ତି । ଆନ୍ଦୋଳନକାରୀଙ୍କ ମଧ୍ୟରେ ଗଞ୍ଜେଇ ମାଫିଆ ଥିଲେ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।