ଶତାଧିକ ସାଧୁଙ୍କ ଆଶୀର୍ବାଦ ନେଇ ବିବାହ କଲେ ବୁରୁଝରୀ ସରପଞ୍ଚ | News Room Odisha

ଶତାଧିକ ସାଧୁଙ୍କ ଆଶୀର୍ବାଦ ନେଇ ବିବାହ କଲେ ବୁରୁଝରୀ ସରପଞ୍ଚ

ଛତ୍ରପୁର: ନା ଥିଲା ଡିଜେ, ନା ବାଣ ରୋଷଣୀ ପଟୁଆର, ନା ବାଦ୍ୟବାଜଣା କି ଧୁମଧଡାକା କିମ୍ବା ମତୁଆଲା ନାଚଗୀତ। ତା ବଦଳରେ ଶୁଭୁଥିଲା ବେଦ ମନ୍ତ୍ର ଉଚ୍ଚାରଣ, ସଂକୀର୍ତ୍ତନ ମଣ୍ଡଳୀର ଧ୍ବନି। ପଟୁଆରରେ ବରଯାତ୍ରୀ ଭାବେ ସାମିଲ ହୋଇଥିଲେ ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ସାଧୁ ସନ୍ଥ। ଗାଁରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ନିଆରା ପରିବେଶ। ଭୋଜନରେ ଥିଲା ଶୁଦ୍ଧ ଶାକାହାରୀ ବିନା ପିଆଜ ରସୁଣରେ ପ୍ରସ୍ତୁତ ସ୍ବାଦିଷ୍ଟ ଖାଦ୍ୟ। ବର କନ୍ୟାଙ୍କୁ ଆଶୀର୍ବାଦ ଦେବାକୁ ସମବେତ ହୋଇଥିଲେ ବହୁ ଗ୍ରାମବାସୀ, ସାଧୁସନ୍ନ୍ୟାସୀ। ଆଜିକାଲି ସମାଜରେ ଯେଉଁଠି ଆଡ଼ମ୍ବର ସହକାରେ ଧୁମଧାମରେ ଭୋଜିଭାତ କରିବା ଏକ ଲୋକଦେଖାଣିଆ ସଉକ ପାଲଟିଛି ସେହି ସମୟରେ ଆମ ପ୍ରାଚୀନ ପରମ୍ପରାର ସ୍ମୃତି ଉଦଜୀବିତ କରୁଥିବା ଏଭଳି ନିଆରା ବିବାହ ବେଶ୍ ଚର୍ଚ୍ଚାକୁ ଆସିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ବୁରୁଝରୀ ସରପଞ୍ଚ ବିନୋଦ କୁମାର ନାୟକ ଏଭଳି ନିଆରା ଢଙ୍ଗରେ ବିବାହ କରିଛନ୍ତି।

ସନାତନ ଧର୍ମରେ ଦୃଢ଼ ବିଶ୍ୱାସ ରଖିଛନ୍ତି ବିନୋଦ। ତେଣୁ ପାରମ୍ପରିକ ବିବାହ ପ୍ରତି ତାଙ୍କ ମନରେ ବେଶ୍ ଆଗ୍ରହ ରହିଥିଲା। ଏ ନେଇ ସେ ପରିବାର ଲୋକ, ଗ୍ରାମବାସୀ ଓ ପଞ୍ଚାୟତ ବାସିନ୍ଦାଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟା, ବିଧାୟିକାଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ତାଙ୍କ ପ୍ରସ୍ତାବରେ ସହମତ ହେବା ସହ ଏଭଳି ମହାନ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। ଏଣୁ ଏକ ନିଆରା ବିବାହ ଉତ୍ସବର ଆୟୋଜନ କରି ସମ୍ପର୍କୀୟ ବଡ଼ ଭାଇ ନାରାୟଣ ସାହୁ ଓ କରଚୁଲି ମଠର ସତ୍ୟାନନ୍ଦ ମହାରାଜଙ୍କ ସହଯୋଗରେ ସାଧୁସନ୍ଥଙ୍କ ସମାଗମ କରାଇଥିଲେ। ସମସ୍ତ ସାଧୁ ସନ୍ନ୍ୟାସୀଙ୍କୁ ବିନୋଦଙ୍କ ଘରେ ଫୁଲ ଚନ୍ଦନ ସହ ପୁଷ୍ପ ମାଳା ଦେଇ ସ୍ୱାଗତ କରାଯାଇଥିଲା। ଏହା ପରେ ସାଧୁମାନଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ ବିନୋଦ। କନ୍ୟା ପକ୍ଷ ସୁମଣ୍ଡଳର ରୋଜି ଜେନା ବର ଘରକୁ ଆସିଥିଲେ। ସେଠାରେ ବିବାହ ସମ୍ପନ୍ନ ହୋଇଥିଲା। ଅଭିନଵ ଢଙ୍ଗର ବିବାହରେ ସାଙ୍ଗସାଥୀ, ପରିଜନ, ଗ୍ରାମବାସୀ ଆନନ୍ଦର ସହ ସାମିଲ ହୋଇଥିଲେ। ଶୁଭ ଶଙ୍ଖ ଧ୍ୱନିରେ ସାରା ଗ୍ରାମ ପ୍ରକମ୍ପିତ ହୋଇ ଉଠୁଥିଲା। ବିବାହ ମଣ୍ଡପରେ ସମସ୍ତ ସାଧୁ ସନ୍ଥ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ବିନୋଦ କହନ୍ତି ସାଧୁ ଯେ ମଳୟ ପବନ କାଠକୁ କରନ୍ତି ଚନ୍ଦନ। ଧିରେ ଧିରେ ସମାଜରେ ସାଧୁ ସନ୍ନ୍ୟାସୀଙ୍କ ଭଳି ଗୁରୁଜନଙ୍କ ପ୍ରତି ସମ୍ମାନ ଲୋପ ପାଇ ଆସୁଥିବା ବେଳେ ଆମେ ସେମାନଙ୍କ ଆଶୀର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। ନିଶ୍ଚିତ ଭାବେ ଏହି ବିବାହ ସମାଜକୁ ସଂସ୍କାରର ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିବ। ତାଙ୍କ ପତ୍ନୀ ରୋଜି ମଧ୍ୟ କହିଛନ୍ତି ଯେ ବହୁ ସାଧୁସନ୍ଥ ଆସିଥିଲେ, ଆଶୀର୍ବାଦ ଦେଲେ, ଏ ଦିନକୁ କେବେ ଭୁଲି ହେବନି।