ଚନ୍ଦ୍ରଯାନ-୩ର ସଫଳତା ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଜୟ ଜୟକାର | News Room Odisha

ଚନ୍ଦ୍ରଯାନ-୩ର ସଫଳତା ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଜୟ ଜୟକାର

ଅଗଷ୍ଟ ୨୩, ୨୦୨୩ । ଏହି ତାରିଖ ଭାରତୀୟ ମହାକାଶ ଗବେଷଣା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ଦିନ ଭାରତ ଏମିତି କିଛି କରିଛି ଯାହା ଆଉ କୌଣସି ଦେଶ କରିପାରିନଥିଲା । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି |

ଏହି ସଫଳତା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି | ଭାରତ ନିକଟକୁ ବିଶ୍ବର କୋଣ ଅନୁକୋଣରୁ ଅଭିନନ୍ଦନ ସୁଅ ଛୁଟୁଛି। ଭାରତର ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏହି ମାଇଲଖୁଣ୍ଟ ନେଇ ଉଲ୍ଲସିତ । ଏହି ଐତିହାସିକ ସଫଳତାରେ ବିଶ୍ବର ବଡ଼ ମିଡିଆ ସଂସ୍ଥା ମଧ୍ୟ ଭାରତର ଜୟଗାନ କରିଛନ୍ତି ।

ନ୍ୟୁୟର୍କ ଟାଇମ୍ସ ଲେଖିଛି, “ଚନ୍ଦ୍ର ଅଭିମୁଖେ ସଦ୍ୟତମ ରେସରେ ଦକ୍ଷିଣ ମେରୁରେ ପ୍ରଥମେ ଅବତରଣ କରିଛି ଭାରତ”।

ଏହି ଖବରକାଗଜ ଆହୁରି ଲେଖିଛି, “ଭାରତର ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞାନ’ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛନ୍ତି। ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ପ୍ରଥମ ଏବଂ ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ଦେଶ ହୋଇପାରିଛି।

ଅଲ୍ ଜଜିରା କହିଛି, ‘ଚନ୍ଦ୍ରରେ ଭାରତ ‘ ।

ତୁର୍କୀର ସରକାରୀ ଖବର ସରବରାହ ସଂସ୍ଥା ଟିଆରଟି ୱାର୍ଲ୍ଡ ଲେଖିଛି, ‘ଐତିହାସିକ କୀର୍ତ୍ତିମାନ।’

ସିଏନ୍ଏନ୍ ଲେଖିଛି, ‘ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ହୋଇପାରିଛି।’

ବିବିସି ମଧ୍ୟ ଭାରତର ଚନ୍ଦ୍ରଯାନ-୩ ଇଭେଣ୍ଟକୁ ସିଧା ପ୍ରସାରଣ କରିଥିଲା । ବିବିସି ଲେଖିଛି – ଭାରତ ଇତିହାସ ରଚିଛି … ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ ଅବତରଣ ସଫଳ ହୋଇଛି । ଏହି ବିରାଟ ସଫଳତା ଭାରତକୁ ମହାକାଶ ସୁପରପାଓ୍ବାର ତାଲିକାରେ ସାମିଲ କରିଛି । ”

ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଭାରତର ଏହି ସଫଳତା ଉପରେ ଆଲୋକପାତ କରିଛନ୍ତି ।

ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଡନ୍’ ଭାରତର ଏହି ଐତିହାସିକ ସଫଳତାର ଖବରକୁ ଟପ୍-୫ ନ୍ୟୁଜ୍ ଭାବେ ସ୍ଥାନ ଦେଇଛି। ଏହି ଖବରକାଗଜ ଲେଖିଛି, “ଆମ ପଡୋଶୀ ଦେଶରୁ ବଡ଼ ଖବର ଆସିଛି। ମହାକାଶ କ୍ଷେତ୍ରରେ ଭାରତ ବିଶ୍ୱ ସମ୍ମୁଖରେ ଏପରି ଏକ ଉଦାହରଣ ସୃଷ୍ଟି କରିଛି, ଯାହା ବର୍ତ୍ତମାନ ପ୍ରତ୍ୟେକ ଦେଶ ଅନୁସରଣ କରିବାକୁ ଚାହୁଁଛନ୍ତି। ଆମେ ଭାରତକୁ ଶୁଭେଚ୍ଛା ଜଣାଉଛୁ।

ଏହାଛଡ଼ା ଭାରତର ସଫଳ ଚନ୍ଦ୍ର ମିଶନ ନେଇ ଆମେରିକାର ସ୍ପେସ୍ ଏଜେନ୍ସି ‘ନାସା’ ସହ ୟୁରୋପୀୟ ଓ ରୁଷୀୟ ମହାକାଶ ସଂସ୍ଥା ଅଭିନନ୍ଦନ ଜଣାଇଛନ୍ତି ।