କଲମାରେ ମହାନଦୀ ଟ୍ରିବ୍ୟୁନାଲ ଟିମ, ଜଳ ପରିଚାଳନାକୁ ଓଡ଼ିଶାର ଜୋରଦାର ବିରୋଧ | News Room Odisha

କଲମାରେ ମହାନଦୀ ଟ୍ରିବ୍ୟୁନାଲ ଟିମ, ଜଳ ପରିଚାଳନାକୁ ଓଡ଼ିଶାର ଜୋରଦାର ବିରୋଧ

ସମ୍ବଲପୁର: ଆଜି ଛତିଶଗଡ଼ରେ ମହାନଦୀ ଟ୍ରିବୁନାଲ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ ତୃତୀୟ ଦିନ। ଆଜି ମିରୋନି, ସାରଡିହ ଓ କଲମା ବ୍ୟାରେଜ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଟିମ। ତେବେ, ଏହି ଗସ୍ତ ଆରମ୍ଭ ହେବା ପରେ କଲମାରୁ ପାଣି ଛାଡି ଟ୍ରିବ୍ୟୁନାଲକୁ ଭୁଆଁ ବୁଲାଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛି ଓଡ଼ିଶା। ଏହାକୁ ନେଇ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ଯରେ ପ୍ରବଳ କଥା କଟାକଟି ହୋଇଛି। ଆସନ୍ତା କାଲି ରାୟଗଡ କେଲୋ ଡ୍ୟାମ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବୁନାଲ ସଦସ୍ୟ।

ମହାନଦୀ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ ରେ ମହାନଦୀ ଟ୍ରିବୁନାଲ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନର ଆଜି ହେଉଛି ତୃତୀୟ ଦିନ ମିରୋନି,ସାରାଡ଼ିହ, କଲମା ବ୍ୟାରେଜ ସହିତ ଓଡିଶା-ଛତିଶଗଡ଼ ସୀମାନ୍ତ ସୁରୁଜଗଡ଼ ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରି ରାୟଗଡକୁ ଫେରିଛନ୍ତି ଟ୍ରିବୁନାଲ ସଦସ୍ୟ। ଅଣ ମୌସୁମୀ ସମୟରେ ଛତିଶଗଡ଼ ସବୁ ବନ୍ଧ ଓ ବ୍ୟାରେଜରେ ପାଣି ଅଟକାଇ ରଖୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଯିବା ଭୟରେ ଆଜି କଲମା ବ୍ୟାରେଜ ର ୨୦ ଗେଟ ପାଣି ଛାଡିଲା ଛତିଶଗଡ଼। ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜର ୬୬ଟି ଗେଟ ଥିବା ବେଳେ ଟ୍ରିବୁନାଲଙ୍କ ଗ୍ରସ୍ତ ପୂର୍ବରୁ ମାତ୍ର ତଳ ମୁଣ୍ଡକୁ ଅଳ୍ପ ପାଣି ଛାଡ଼ୁଥିଲା ଛତିଶଗଡ଼ ସରକାର। ଏନେଇ କ୍ଷେତ୍ର ପରିଦର୍ଶନ ସମୟରେ ଓଡିଶା ଓ ଛତିଶଗଡ଼ ଜଳସମ୍ପଦ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଚିତ୍ର ସାମ୍ନା କୁ ଆସିଛି ।

ଅନ୍ୟପଟେ ଛତିଶଗଡ଼ ର ଚାଲକି ଧରପଡିଛି। ଟ୍ରିବୁନାଲ ସଦସ୍ୟଙ୍କ ଗସ୍ତ କୁ ନେଇ ଛତିଶଗଡ଼ ସରକାର ବିଭିନ୍ନ ବ୍ୟାରେଜରୁ ତଳ ମୁଣ୍ଡକୁ ପାଣି ଛାଡୁ ଥିବାରୁ ହୀରାକୁଦ ଜଳଭଣ୍ଡାର କୁ ଇନଫ୍ଲୋ ବୃଦ୍ଧି ପାଉଛି। ଆଜି କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ବେଳେ ଅନ୍ୟ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିବସ ତଥା ଆସନ୍ତାକାଲି ମେ ୩ରେ ଟ୍ରିବ୍ୟୁନାଲ ରାୟଗଡ କେଲୋ ପ୍ରକଳ୍ପ ପରିଦର୍ଶନ କରି ସଂଧ୍ୟାରେ ଝାରସୁଗୁଡ଼ାରୁ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ‌