ଅଡ଼ୁଆରେ ଅଶୋକ ଗେହଲୋଟ୍, ନ୍ୟାୟପାଳିକା ଉପରେ ମନ୍ତବ୍ୟ ନେଇ ହାଇକୋର୍ଟ ଜାରି କଲେ କାରଣ ଦର୍ଶାଅ ନୋଟିସ୍ | News Room Odisha

ଅଡ଼ୁଆରେ ଅଶୋକ ଗେହଲୋଟ୍, ନ୍ୟାୟପାଳିକା ଉପରେ ମନ୍ତବ୍ୟ ନେଇ ହାଇକୋର୍ଟ ଜାରି କଲେ କାରଣ ଦର୍ଶାଅ ନୋଟିସ୍

ଜୟପୁର: ନ୍ୟାୟପାଳିକା ଉପରେ ମନ୍ତବ୍ୟ ନେଇ ଅଡ଼ୁଆରେ ଅଶୋକ ଗେହଲୋଟ । ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କାହିଁକି ଆରମ୍ଭ କରାଯିବ ନାହିଁ ସେନେଇ ରାଜସ୍ଥାନ ହାଇକୋର୍ଟ ଶନିବାର ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ନ୍ୟାୟପାଳିକାରେ ‘ଦୁର୍ନୀତି’ ମନ୍ତବ୍ୟ ପାଇଁ ହାଇକୋର୍ଟ ନିଜ ଆଡୁ ଗେହଲୋଟଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଶିବଚର ଗୁପ୍ତା ନାମକ ଜଣେ ଓକିଲ ଏହି ମାମଲା ଦାୟର କରିଥିଲେ ।

ଜଷ୍ଟିସ ଏମ୍.ଏମ୍ ଶ୍ରୀବାସ୍ତବ ଏବଂ ଜଷ୍ଟିସ ଆଶୁତୋଷ କୁମାରଙ୍କ ଏକ ଖଣ୍ଡପୀଠ ଶନିବାର ଏହି ପିଟିସନର ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତାଙ୍କୁ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ବୁଧବାର ଜୟପୁରରେ ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ଗେହଲୋଟ୍ ଅଭିଯୋଗ କରିଥିଲେ ଯେ ନ୍ୟାୟପାଳିକାରେ ଦୁର୍ନୀତି ବଢ଼ିଚାଲିଛି। ସେ କହିଥିଲେ, “ମୁଁ ଶୁଣିଛି ଯେ ଅନେକ ଓକିଲ ରାୟ ଲେଖି ନେଇଥାନ୍ତି ଓ ତଦନୁଯାୟୀ କୋର୍ଟ ରାୟ ଘୋଷଣା କରନ୍ତି ।”

ତେବେ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ଗେହଲୋଟ ସ୍ପଷ୍ଟୀକରଣ ଦେଇଥିଲେ । ସେ କହିଥିଲେ ଯେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ସେ ଯାହା କହିଥିଲେ ତାହା ତାଙ୍କର ବ୍ୟକ୍ତିଗତ ମତ ନୁହେଁ । ସେ ନ୍ୟାୟପାଳିକାକୁ ସର୍ବଦା ସମ୍ମାନ ଓ ବିଶ୍ୱାସ କରନ୍ତି ।

ଗେହଲୋଟଙ୍କ ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଯୋଧପୁରର ଓକିଲମାନେ ହାଇକୋର୍ଟ ଏବଂ ନିମ୍ନ ଅଦାଲତରେ କାର୍ଯ୍ୟ ବର୍ଜନ କରିଥିଲେ।