ଗଲଓ୍ବାନ୍ ସଂଘର୍ଷ ପରେ ଚୀନକୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତି କରିଥିଲା ଭାରତ, ୬୮ ହଜାର ସୈନ୍ୟଙ୍କୁ ଲଦାଖ ନିଆଯାଇଥିଲା | News Room Odisha

ଗଲଓ୍ବାନ୍ ସଂଘର୍ଷ ପରେ ଚୀନକୁ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତି କରିଥିଲା ଭାରତ, ୬୮ ହଜାର ସୈନ୍ୟଙ୍କୁ ଲଦାଖ ନିଆଯାଇଥିଲା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୈନ୍ୟ ମଧ୍ୟରେ ସୋମବାର ୧୯ତମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ । ତେବେ ଏହା ପୂର୍ବରୁ ଏକ ବଡ଼ ଖୁଲାସା ହୋଇଛି। ୧୫ ଜୁନ୍ ୨୦୨୦ରେ ଗଲଓ୍ବାନ୍ ଘାଟିରେ ଉଭୟ ସେନାଙ୍କ ମଧ୍ୟରେ‌ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତି କରିଥିଲା । ସମ୍ଭାବ୍ୟ ଆକ୍ରମଣ ଦୃଷ୍ଟିରୁ ଚୀନକୁ କଡ଼ା ଜବାବ ଦେବା ପାଇଁ ପୂର୍ବ ଲଦାଖରେ ଭାରତ ସେନା ମୁତୟନ ବୃଦ୍ଧି କରିଥିଲା।

ଗଲଓ୍ବାନରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବାୟୁସେନା ଦେଶର ବିଭିନ୍ନ ସ୍ଥାନରୁ ପୂର୍ବ ଲଦାଖକୁ ୬୮ ହଜାରରୁ ଅଧିକ ସୈନିକଙ୍କୁ ଲଦାଖ ଏୟାରଲିଫ୍ଟ କରିଥିଲା। ଏହାଛଡ଼ା ୯୦ ଟି ଟ୍ୟାଙ୍କ ସହ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ପୂର୍ବ ଲଦାଖକୁ ସ୍ଥାନାନ୍ତର କରାଯାଇଥିଲା। ଗଲଓ୍ବାନ ସଂଘର୍ଷ ପରଠାରୁ ଚୀନ୍ ସୈନ୍ୟ ଗତିବିଧି ଉପରେ ଏବେ ୨୪ ଘଣ୍ଟା ନଜର ରଖାଯାଉଛି। ଏହା ବ୍ୟତୀତ ଗୁପ୍ତଚର ସୂଚନା ସଂଗ୍ରହ ପାଇଁ ସୁଖୋଇ-୩୦ ଏମକେଆଇ ଏବଂ ଜାଗୁଆର ଯୁଦ୍ଧ ବିମାନ ମଧ୍ୟ ମୁତୟନ କରାଯାଇଛି।

ପ୍ରତିରକ୍ଷା ଏବଂ ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଗଲଓ୍ବାନରେ ରାଫାଲ୍ ମିଗ୍ -୨୯ ସମେତ ବହୁ ସଂଖ୍ୟକ ଯୁଦ୍ଧ ବିମାନ ପୂର୍ବ ଲଦାଖରେ ବିମାନ ପାଟ୍ରୋଲିଂ ପାଇଁ ମୁତୟନ ହୋଇଥିଲା।

ଭାରତୀୟ ବାୟୁସେନା ବ‌ହୁ ଯୁଦ୍ଧ ବିମାନ ସ୍କ୍ବାଡ୍ରନକୁ ଷ୍ଟାଣ୍ଡବାଇରେ ରଖିଥିଲା।ଗଲଓ୍ବାନ୍ ସଂଘର୍ଷ ପରେ ସରକାର ମଧ୍ୟ ପୂର୍ବ ଲଦାଖର ୩୫୦୦ କିଲୋମିଟର ଲମ୍ବା ଏଲ୍ଏସି ସହିତ ଭିତ୍ତିଭୂମି ତିଆରି ଉପରେ ଜୋର୍ ଦେଇଥିଲେ।

୧୫ ଜୁନ୍ ୨୦୨୦ରେ ଚୀନ୍ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ସୈନ୍ୟ ଠୁଳ କରିଥିଲା। ଏହା ପରେ ଅନେକ ସ୍ଥାନରେ ଅନୁପ୍ରବେଶ ଘଟଣା ଘଟିଥିଲା | ଏହାକୁ ନେଇ ଚୀନ୍ ସେନା ସହିତ ଘାତକ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତ ମଧ୍ୟ ପାଲଟା ଜବାବ ଦେଇଥିଲା । ଏହି ଘଟଣାରେ ଚୀନର ମଧ୍ୟ ବହୁ ସୈନିକ ନିହତ ହୋଇଥିଲେ।