ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ପ୍ରଥମ ୪୦ ଦିନରେ ୬,୮୪୪ ମାମଲାର ଫଇସଲା | News Room Odisha

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ପ୍ରଥମ ୪୦ ଦିନରେ ୬,୮୪୪ ମାମଲାର ଫଇସଲା

ନୂଆଦିଲ୍ଲୀ: ଡିଓ୍ବାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ଗୁଡ଼ିକର ଶୁଣାଣି ତ୍ବରାନ୍ବିତ ହୋଇଛି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ପ୍ରଥମ ୪୦ ଦିନରେ ଦାଖଲ ହୋଇଥିବା ମାମଲା ଅପେକ୍ଷା ଅଧିକ ମାମଲା ଫଇସଲା ହୋଇଛି, ଯାହାକି ଏକ ବିରଳ ଉପଲବ୍ଧି ।

ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ଯକାଳର ପ୍ରଥମ ୪୦ ଦିନରେ ୬,୮୪୪ ମାମଲା ସମାଧାନ ହୋଇଥିବାବେଳେ ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟରେ ୫,୮୯୮ ମାମଲା ତାଲିକାଭୁକ୍ତ ହୋଇଛି। ସୁପ୍ରିମକୋର୍ଟରେ ଦୈନିକ ୨୨୮ ମାମଲାର ଫଇସଲା ହୋଇଥିଲା। ଏହି ସମୟରେ ଦୈନିକ ୧୭୯ଟି ମାମଲା ତାଲିକାଭୁକ୍ତ ହୋଇଥିଲା | ଶୀତ ଛୁଟି ପୂର୍ବରୁ ଏକ ସପ୍ତାହ ମଧ୍ୟରେ ୧୬୬୩ଟି ମାମଲାର ଫଇସଲା ହୋଇଛି ।

ପ୍ରଧାନ ବିଚାରପତି ହେବା ପରେ ଚନ୍ଦ୍ରଚୂଡ ନିଷ୍ପତ୍ତି ନେଇଥିଲେ ଯେ ପ୍ରତ୍ୟେକ ବେଞ୍ଚ ସହିତ ଦୈନିକ ୧୦ଟି ଜାମିନ ଏବଂ ୧୦ଟି ଟ୍ରାନ୍ସଫର ଆବେଦନ ତାଲିକାଭୁକ୍ତ କରାଯିବା ଉଚିତ, ଯାହାର ଠିକ୍ ସମୟରେ ଶୁଣାଣି ଓ ଫଇସଲା ହେବା ଉଚିତ। ନଭେମ୍ବର ୧୮ରେ ସେ କହିଥିଲେ ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୧୩ଟି ବେଞ୍ଚ କାର୍ଯ୍ୟ କରୁଛି। ତଦନୁସାରେ, ଦୈନିକ ୧୩୦ଟି ମାମଲାର ଶୁଣାଣି କରାଗଲେ ଗୋଟିଏ ସପ୍ତାହରେ ଏହି ସଂଖ୍ୟା ୬୫୦ ହେବ | ଏହାଛଡ଼ା ସେ କହିଛନ୍ତି ଯେ ଶୀତ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ସମସ୍ତ ଟ୍ରାନ୍ସଫର ଆବେଦନ ପାଞ୍ଚ ସପ୍ତାହ ମଧ୍ୟରେ ସମାଧାନ ହେବ।

ଚନ୍ଦ୍ରଚୂଡ଼ ୯ ନଭେମ୍ବରରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ୟୁୟୁ ଲଲିତଙ୍କ ସ୍ଥାନ ନେଇଥିଲେ | ଶପଥ ଗ୍ରହଣ କରିବା ପରେ ଚନ୍ଦ୍ରଚୂଡ କହିଥିଲେ ଯେ ଦେଶ ସେବା କରିବା ମୋର ପ୍ରାଥମିକତା। ସେ ସମସ୍ତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବେ ଏବଂ ଏହି କାର୍ଯ୍ୟ ପୂର୍ବ ଅପେକ୍ଷା ବହୁତ ଶୀଘ୍ର କରାଯିବା ଉଚିତ୍ | ତାଙ୍କ ପିତା ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ।