ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୭ ଦିନର ଗୃହ ସଙ୍ଗରୋଧ ବାଧ୍ୟତାମୂଳକ | News Room Odisha

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୭ ଦିନର ଗୃହ ସଙ୍ଗରୋଧ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ସୂଚନା ଅନୁଯାୟୀ, ଦିନକରେ ଏକ ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇଛି। ଏଭଳି ସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଅନେକ କଟକଣା ଲଗାଇଛନ୍ତି। ଏହି ସମୟରେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ବିଦେଶ ଫେରନ୍ତା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସାତ ଦିନ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ପଡିବ | ଏହି ନିୟମ ଜାନୁଆରୀ ୧୧ ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ | ସମୁଦାୟ ୧୯ଟି ଦେଶକୁ ‘ଆଟ୍ ରିସ୍କ’ ଦେଶ ତାଲିକାରେ ସାମିଲ କରାଯାଇଛି | ଏହି ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ନିୟମ ମାନିବାକୁ ପଡିବ |

‘ଆଟ୍ ରିସ୍କ’ ଦେଶ ତାଲିକାରେ ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବୋତସ୍ୱାନା, ଚୀନ୍, ଘାନା, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍, କଙ୍ଗୋ, ଇଥିଓପିଆ, କାଜାଖସ୍ତାନ, କେନିଆ, ନାଇଜେରିଆ, ଟ୍ୟୁନିସିଆ ଏବଂ ଜାମ୍ବିଆ ରହିଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରିଥିବା ଗାଗଡଲାଇନ୍ ଅନୁଯାୟୀ, ‘ଆଟ୍ ରିସ୍କ’ ତାଲିକାଭୁକ୍ତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କରୋନା ପରୀକ୍ଷା ପାଇଁ ନମୁନା ଦେବାକୁ ପଡିବ। ସେମାନଙ୍କୁ ବିମାନବନ୍ଦରରେ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ |

ଯଦି ରିପୋର୍ଟ ନେଗେଟିଭ ଆସେ, ତେବେ ସେମାନଙ୍କୁ ସାତ ଦିନ ପାଇଁ ଗୃହ ସଙ୍ଗରୋଧରେ ରହିବାକୁ ପଡିବ | ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଆରଟି-ପିସିଆର୍ ପରୀକ୍ଷା କରିବାକୁ ପଡିବ | ଏହାର ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ | ଯଦି ରିପୋର୍ଟ ନେଗେଟିଭ ଆସେ, ତେବେ ସେମାନଙ୍କୁ ଆଗାମୀ ସାତ ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡିବ | ଯଦି କେହି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ଜେନୋମିକ୍ ସ୍ବିକ୍ବେନ୍ସିଂ ପାଇଁ ନମୁନା ପଠାଯିବ |