କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ | News Room Odisha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଭବାନୀପାଟଣା : ଆଗାମୀ ବର୍ଷା ଋତୁରେ କିପରି ସମ୍ଭାବ୍ଯ ବନ୍ୟା ବାତ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରାଯିବ ସେନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି।

ଏଥିପାଇଁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିସାରି ପ୍ରମୁଖ ଯୋଗଦେଇ ଅଗାମୀ ବର୍ଷା ଋତୁରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା କରିବା ନେଇ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ନେଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଥିଲା।

ବିଭିନ୍ନ ସ୍ଥାନରେ ଥିବା ଅସୁବିଧା ଓ ଆଶଙ୍କା କରୁଥିବା ସମସ୍ୟାକୁ ସଭାରେ ଉପସ୍ଥାପନ କରିଥିଲେ। ସହକାରୀ ଜିଲ୍ଲାପାଳ ସୁଶ୍ରୀ ପ୍ରଧାନ ସଭା ପରିଚାଳନା କରିଥିଲେ। ବନ୍ୟା ସମୟରେ ଖାଦ୍ୟ ମହଜୁଦ, ରିଲିଫ୍ ସାମଗ୍ରୀ ମହଜୁଦ ଓ ବଣ୍ଟନ ବ୍ୟବସ୍ଥା, ବନ୍ୟା ପ୍ରତିରୋଧ ଯନ୍ତ୍ରପାତି, ବନ୍ୟା ଆଶ୍ରିତ ଗୃହ, ସାମୟିକ ଆଶ୍ରୟ ସ୍ଥଳୀ, ଅଗ୍ନିଶମ ବିଭାଗର ତତ୍ପରତା, ଜଳସେଚନ ଓ ଉଠା ଜଳସେଚନର ଘାଇ ମରାମତି ଓ ସମ୍ଭାବ୍ୟ ଘାଈ ପାଇଁ ସତର୍କତା, ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ,ଜାତୀୟ ରାଜପଥ/ଗ୍ରାମ୍ୟ ଉନ୍ନୟନ/ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ରାସ୍ତା ମରାମତି, କୃଷି ବିଭାଗର ପଦକ୍ଷେପ,ପଶୁ ରକ୍ଷା, ବିଦ୍ୟୁତ ସରବରାହ ଓ ମରାମତି, ନୌକାର ଉପଯୋଗ, ବନ୍ୟା ନିୟନ୍ତ୍ରଣ କକ୍ଷ, ବିଡିଓ ତଥା ତହସିଲଦାରଙ୍କ ଭୂମିକା,ଆଶାକର୍ମୀ/ଅଙ୍ଗନବାଡ଼ି କର୍ମୀ/ ସ୍ବାସ୍ଥ୍ୟ କର୍ମୀଙ୍କ ଟିମ୍ ସଂକ୍ରାନ୍ତୀୟ 14ଟି ବିଷୟରେ ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜର ପ୍ରସ୍ତୁତି ଓ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଜିଲ୍ଲାର 13ଟି ବ୍ଲକରେ ଯୋଗାଣ ବିଭାଗ ତରଫରୁ ବିଭିନ୍ନ ଦୁର୍ଗମ ଓ ବନ୍ୟା ପ୍ରପୀଡିତଙ୍କ ଅଞ୍ଚଳରେ ଚୁଡ଼ା ଗୁଡ଼, ଦିଆସିଲି, କ୍ୟାଣ୍ଡଲ, ବିସ୍କୁଟ,ଚାଉଳ ମହଜୁଦ, ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାପ୍ଲାବିତ ଅଞ୍ଚଳରେ ପଲିଥିନ ଉପଯୋଗ ପାଇଁ 3364ଟି ପଲିଥିନ ରୋଲ୍ ମହଜୁଦ, କେସିଙ୍ଗା ବ୍ଲକ ର ବେଲଖଣ୍ଡି, ଜୁନାଗଡର କୁଟେଲ ଗାଁ,କଲମପୁରର ବାଳିଛଡ଼ା, ଜୟପାଟଣାର ରସଡୁମେର ଠାରେ ଚେନ୍ସ, ଲାଇଫ୍ ଜ୍ୟାକେଟ, ଆସ୍କା ଲାଇଟ୍, ଜେନରେଟର ମହଜୁଦ ସହ ବନ୍ୟା ଆଶ୍ରୀତ ଗୃହର ବ୍ୟବସ୍ଥା, ସ୍କୁଲମାନଙ୍କରେ ସାମୟିକ ଆଶ୍ରୟସ୍ଥଳ,ଜଳସେଚନର କଣ୍ଟ୍ରୋଲ ରୁମ୍, ସ୍ବାସ୍ଥ୍ୟ ବିଭାଗ ତରଫରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସାପ କାମୁଡା ଔଷଧ ଓଆରଏସ୍, ଜଳ ବାହିତ ରୋଗର ଔଷଧ ବ୍ୟବସ୍ଥା, ଆରଡବ୍ଲୁଏସ୍ଏସ୍ ତଥା ପିଏଚଡି ତରଫରୁ ନଳକୂପ ବିଶୋଧନ ପାନୀୟ ଜଳ ବିଶୋଧନ, ବ୍ଲିଚିଙ୍ଗ, ନଳକୂପ ମରାମତି, ମ୍ୟୁନିସିପାଲଟି ଓ ଏନ୍ଏସିର ବନ୍ୟା ପ୍ରପୀଡିତ ୱାର୍ଡ ମାନଙ୍କରେ ପ୍ରଭାବିତ ଲୋକଙ୍କୁ ଅପସାରଣ ଓ ସାମୟିକ ଆଶ୍ରୟସ୍ଥଳୀର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ।

ଜିଲ୍ଲାପାଳ ଡା. ଗାଭାଲି ସମସ୍ତ ବିଭାଗୀୟ ଅଧକାରୀମାନଙ୍କୁ ସତର୍କ ରହିବା ସଙ୍ଗେ ସଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯ୍ୟୟ ବା ଦୁର୍ଘଟଣା ଘଟିଲେ 112 ନମ୍ବର ବ୍ୟତୀତ ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ଜରୁରୀ ଶାଖା କଣ୍ଟ୍ରୋଲ ରୁମ୍ ନମ୍ବର 06670230455କୁ ଫୋନ କରି ଜଣାଇପାରିବେ ବୋଲି ସୂଚନା ଦେଇଥିଲେ। ବୈଠକରେ ଏଡିଏମ (ରାଜସ୍ବ) ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଏଡିଏମ (ସାଧାରଣ) ସୁଶାନ୍ତ ପଟେଲ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ ଉପାଧ୍ୟାୟ, ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାୱାର, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ୍ ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଓ ପୌର ଅଧିକାରୀ ଉପସ୍ଥିତ ଥିଲେ।