ବାଇଡେନଙ୍କୁ ୭୫ ସାଂସଦଙ୍କ ଚିଠି, ମୋଦୀଙ୍କ ସହ ଆଲୋଚନାରେ ଭାରତରେ ଧାର୍ମିକ ଅସହିଷ୍ଣୁତା, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇବାକୁ ଦାବି | News Room Odisha

ବାଇଡେନଙ୍କୁ ୭୫ ସାଂସଦଙ୍କ ଚିଠି, ମୋଦୀଙ୍କ ସହ ଆଲୋଚନାରେ ଭାରତରେ ଧାର୍ମିକ ଅସହିଷ୍ଣୁତା, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇବାକୁ ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ନେଇ ଆମେରିକାର ୭୫ ସାଂସଦ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ଚିଠି ଲେଖିଛନ୍ତି । ସେମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ସ୍ୱାଗତ । କିନ୍ତୁ ଦ୍ୱିପାକ୍ଷିକ ବୈଠକରେ ମୋଦୀଙ୍କ ସହ କିଛି ଉଦବେଗ ଜନକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବା ଉଚିତ। ଭାରତରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି, ସାମ୍ବାଦିକ ତଥା ସାମାଜିକ କର୍ମୀଙ୍କୁ ଆକ୍ରମଣ ଆଦି ପ୍ରସଙ୍ଗ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇବାକୁ ଏହି ସାଂସଦମାନ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏହି ଆମେରିକା ଗସ୍ତ ସମୟରେ ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ବିଦ୍ୱାନ, ଉଦ୍ୟୋଗୀ, ଶିକ୍ଷାବିତ୍, ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ପ୍ରାୟ ୨୪ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିବେ।

ଆଜି ମୋଦୀ ଜାତିସଂଘ ମୁଖ୍ୟାଳୟରେ ଯୋଗ ଅଧିବେଶନର ନେତୃତ୍ୱ ନେବେ ଯେଉଁଥିରେ ଜାତିସଂଘର ବରିଷ୍ଠ ଅଧିକାରୀ, ବିଶ୍ୱର ସମସ୍ତ ଦୂତ ତଥା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ସେୟାର କରି କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ | ୨୦୧୩ ରେ ଯେତେବେଳେ ଜାତିସଂଘ ସାଧାରଣ ସଭାରେ ଯୋଗ ଦିବସର ପ୍ରସ୍ତାବ ଆସିଲା, ସେତେବେଳେ ରେକର୍ଡ ସଂଖ୍ୟକ ଦେଶ ଏହାକୁ ସମର୍ଥନ କରିଥିଲେ।