କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବରେ ମୋହର | News Room Odisha

କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି ।

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ମୁଣ୍ଡାରି ଭାଷାକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ ବୈଠକରେ ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ତ୍ଵ ଓ ଗ୍ରନ୍ଥାଳୟ ପାଇଁ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ।

କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ପରିବାରଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରାଯିବ ।

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି ।

ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ମୌସୁମୀ ଅଧିବେଶନ ସତ୍ରାବସାନକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।