ଭୁବନେଶ୍ବର – ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର ଅବିଭଲ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କୋରାପୁଟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଜି, ଚାରି ଜିଲ୍ଲାର ଏସ୍ପି ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇଥିଲେ ।
ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ | ସି-ଭିଜିଲ, ସୁବିଧା ପୋର୍ଟାଲ, ଏନ୍କୋର ନୋଡ଼ାଲ ଅଫିସର ଆଦି ଆପ୍ ଦ୍ବାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା ହୋଇଥଲା । ନକ୍ସଲ ପ୍ରଭାବିତ ଅଞ୍ଚଳ, ପୋଷ୍ଟାଲ ବାଲାଟ, ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି ମତଦାତାମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ନିର୍ବାଚନକୁ ଦେଶର ସର୍ବବୃହତ ପର୍ବ ରୂପେ ପାଳନ କରି ଅଧିକରେ ଅଧ୍କ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥଲା । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ମହିଳା, ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ ।
ଦ୍ବିତୀୟ ସଂପାନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ, ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଜି , ସମସ୍ଥ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଆଲୋଚନା କରିଥିଲେ । ନିର୍ବାଚନ ଆଚରଣ ବିଧିର ଉଚିତ ପାଳନ ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା – ଅବକାରୀ, ଜିଏସ୍ଟି, ପରିବହନ ଓ ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥୁଲେ । ପ୍ରେସ୍ ବାର୍ତ୍ତା ମାଧ୍ଯମରେ ମୁଖ୍ୟ ନିର୍ବାଚନ ଅଧି କାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । କିଭଳି ଭାବରେ ବିଭିନ୍ନ ବୁଥ୍ରେ ସୁରକ୍ଷା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା କରିଥିଲେ । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଭୋଟିଂ ସମୟ, ବୁଥରେ ପାନୀୟ ଜଳ, ଛାୟା ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଆଦି ବିଷୟରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ମତଦାତାଙ୍କ ସୁବିଧା ପାଇଁ ନିଶ୍ଚିତ ଭାବରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।
ପରେ ମୁଖ୍ୟ ନିର୍ବାଚନ ଅଧିକାରୀ କୋରାପୁଟ ଉପଖଣ୍ଡରେ ଥୁବା ମତଗଣନା କେନ୍ଦ୍ର ବୁଲି ଦେଖିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ଵାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ସେ ମତ ରଖିଥିଲେ | ଏହି ବୈଠକରେ ଅତିରିକ୍ତ ମୁଖ୍ଯ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ଯ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କରଙ୍କ ସମେତ ଦକ୍ଷିଣ – ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ୍, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମାଲକାନଗିରି ଜିଲ୍ଳା ପାଳ ଶ୍ରୀ ସଚିନ ପାୱାର୍, କୋରାପୁଟ ଏସ୍ପି ଅଭିନବ ସୋନକର, ରାୟଗଡ଼ା ଏସ୍ପି ହରିଶ, ମାଲକାନଗିରି ଏସ୍ପି ନିତେଶ ୱଧୱାନୀ, ନବରଙ୍ଗପୁର ଏସ୍ପି ରୋହିତ ବର୍ମା ଓ ସମସ୍ତ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ |