ଦୁବାଇ ଯିବେ ବ୍ରହ୍ମପୁର ଆଇଟିଆଇ ଛାତ୍ରୀ | News Room Odisha

ଦୁବାଇ ଯିବେ ବ୍ରହ୍ମପୁର ଆଇଟିଆଇ ଛାତ୍ରୀ

ବ୍ରହ୍ମପୁର : ବୈଷୟିକ ଶିକ୍ଷାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ସେହିକ୍ରମରେ ବ୍ରହ୍ମପୁର ଆଇଟିଆଇ ଛାତ୍ରୀ ଆପ୍‌ସାରାଣୀ ବେହେରା ଏବେ ବିଦେଶ ଯିବେ। ସେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁବାଇ ପରିଦର୍ଶନରେ ଯିବେ। ସେଠି ୭ ଦିନ ରହି ବିଭିନ୍ନ ସ୍ଥାନ ବୁଲି ଜ୍ଞାନ ଆହରଣ କରିବା ସୁଯୋଗ ପାଇବେ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଶିକ୍ଷା, କ୍ରୀଡ଼ା, କଳା ସଂସ୍କୃତି, ସାହିତ୍ୟ, ମିଶନ୍‌ ଶକ୍ତି, ପଞ୍ଚାୟତିରାଜ କ୍ଷେତ୍ରର ୪୦ ଜଣ ପ୍ରତିନିଧିଙ୍କୁ ଏଭଳି ବିଦେଶ ପରିଦର୍ଶନ (ଏକ୍ସପୋଜର୍‌ ଭିଜିଟ୍‌) ପାଇଁ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆପ୍‌ସାରାଣୀ। ଆସନ୍ତା ୧୫ ତାରିଖରେ ସେ ଭୁବନେଶ୍ଵରରୁ ବିମାନ ଯୋଗେ ଦୁବାଇ ଯାତ୍ରା କରିବେ। ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।

ବ୍ରହ୍ମପୁର ସରକାରୀ ଆଇଟିଆଇ ଇଲେକ୍ଟ୍ରିସିଆନ୍‌ ବିଭାଗର ଦ୍ବିତୀୟ ବର୍ଷ ଛାତ୍ରୀ ଆପ୍‌ସାଙ୍କ ଶିକ୍ଷା ଅବଧି ପୂରଣ ହେବା ପୂର୍ବରୁ ନିଜ ଦକ୍ଷତା ବଳରେ ସେ କ୍ୟାମ୍ପସ୍‌ ଚୟନରେ ନିଯୁକ୍ତି ପାଇସାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ଚୟନ କରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଆପ୍‌ସାରାଣୀ। ମୂଳତଃ କଳାହାଣ୍ଡି ଜିଲ୍ଲା ନିବାସୀ ବାପା ମାଆ ଛେଉଣ୍ଡ ଆପ୍‌ସା ଦୀର୍ଘ ବର୍ଷ ହେବ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଏକ ଆଶ୍ରମରେ ଅନ୍ତେବାସୀ ଭାବେ ଜୀବନ ବିତାଉଛନ୍ତି। ମେ ୧୫ ତାରିଖରେ ସେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ, ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଗାୟିକା ଅସୀମା ପଣ୍ଡା ପ୍ରମୁଖଙ୍କ ସହ‌ ଦୁବାଇ ଗସ୍ତରେ ଯିବା ନେଇ ବେଶ୍‌ ଉତ୍ସାହିତ। ରାଜ୍ୟ ସରକାର ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।