କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାର ମୁଖ୍ୟ 'ଷଡଯନ୍ତ୍ରକାରୀ' କହିଲା ଇଡି | News Room Odisha

କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାର ମୁଖ୍ୟ ‘ଷଡଯନ୍ତ୍ରକାରୀ’ କହିଲା ଇଡି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ‘ଷଡଯନ୍ତ୍ରକାରୀ’ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦାବି କରିଛି। କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରିଛି।

କେଜ୍ରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଇଡି ସ୍ପେଶାଲ୍ ଜଜ୍ କାଭେରୀ ବାୱେଜାଙ୍କୁ କହିଛି ଯେ ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ବଦଳରେ କେଜ୍ରିୱାଲଙ୍କୁ ‘ସାଉଥ୍ ଗ୍ରୁପ୍’ରୁ ଲାଞ୍ଚ ଭାବେ ବହୁ କୋଟି ଟଙ୍କା ଲାଞ୍ଚ ମିଳିଛି।

ଏଜେନ୍ସି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏସଜି) ଏସ.ଭି ରାଜୁ ଦାବି କରିଥିଲେ ଯେ ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ କେଜ୍ରିୱାଲ ‘ସାଉଥ ଗ୍ରୁପ’ର କିଛି ଅଭିଯୁକ୍ତଙ୍କଠାରୁ ୧୦୦ କୋଟି ଟଙ୍କା ମାଗିଥିଲେ ।

ଏଥିସହ ସେ କୋର୍ଟଙ୍କୁ କହିଛନ୍ତି, ​​ହାୱଲା ମାର୍ଗ ଜରିଆରେ ମିଳିଥିବା ୪୫ କୋଟି ଟଙ୍କା ଗୋଆ ନିର୍ବାଚନରେ ଖର୍ଚ୍ଚ କରିଥିଲା ଆପ୍। ତାଙ୍କ ଠାରୁ ତଥ୍ୟ ସଂଗ୍ରହ ପାଇଁ କେଜ୍ରିୱାଲଙ୍କୁ ୧୦ ଦିନ ରିମାଣ୍ଡ ଆବଶ୍ୟକ ବୋଲି ସେ‌ ଯୁକ୍ତି କରିଥିଲେ ।

କେଜ୍ରିୱାଲଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ। ଇଡି ରିମାଣ୍ଡକୁ ସିଂଘଭି ବିରୋଧ କରିଛନ୍ତିି।