୨ ଏକ୍ସପ୍ରେସ୍ ଟ୍ରେନ୍ ପୁନଃ ରହଣି ଦାବିରେ ରେଳ ରୋକ ଚେତାବନୀ | News Room Odisha

୨ ଏକ୍ସପ୍ରେସ୍ ଟ୍ରେନ୍ ପୁନଃ ରହଣି ଦାବିରେ ରେଳ ରୋକ ଚେତାବନୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରେଳ ଷ୍ଟେସନରେ ସମଲେଶ୍ବରୀ ଓ ରାଜ୍ୟରାଣୀ ଟ୍ରେନର ରହଣୀ କରୋନା ପରଠାରୁ ବନ୍ଦ ହୋଇଯାଇଛି।

ଏହାକୁ ପୁଣି ରହଣୀ କରିବାକୁ ଦାବି ହେଉଥିଲେ ବି ରେଳବାଇ କର୍ଣପାତ କରୁନାହିଁ। ଫଳରେ ଏହାର ପ୍ରତିବାଦରେ ବରିଷ୍ଠ ନାଗରିକ ପରିଷଦ ଡିଆରଏମଙ୍କ ଉଦ୍ଦେଶ୍ୟରେ ରେଳରୋକ ଚେତାବନୀ ଦେଇଛି।

ଏହି ଷ୍ଟେସନରେ ବିଗତ ଦିନରେ ପ୍ରାୟ ସମସ୍ତ ଏକ୍ସପ୍ରେସ ଟ୍ରେନର ରହଣି ଥିଲା। କରୋନା ମହାମାରୀ ସମୟରେ ଏକ୍ସପ୍ରେସ ଟ୍ରେନର ରହଣି ଉଚ୍ଛେଦ ହୋଇଥିଲା। ମହାମାରୀ ପରେ ରେଙ୍ଗାଲି ଷ୍ଟେସନରେ ସମଲେଶ୍ବରୀ ଓ ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନର ପୁନଃ ରହଣି ପାଇଁ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଫଳରେ ରେଙ୍ଗାଲି ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିଷଦ ଗତ ଡିସେମ୍ବର ମାସରେ ଏହି ଦୁଇଟି ଏକ୍ସପ୍ରେସ ଟ୍ରେନର ପୁନଃ ରହଣି ପାଇଁ ଡିଆରଏମଙ୍କୁ ଜଣାଇଥିଲା। ଛ’ ମାସ ହୋଇଗଲାଣି କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଫଳରେ ଆଉ ଥରେ ଦାବିପତ୍ର ଦିଆଯାଇ ରେଳ ରୋକ ଆନ୍ଦୋଳନ ଚେତାବନୀ ଦିଆଯାଇଛି।

ଦାବି ପତ୍ର ଦେବା ସମୟରେ ପରିଷଦ ସଭାପତି ତଥା ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆ, ସମ୍ପାଦକ ଅନ୍ତର୍ଯ୍ୟ।ମୀ ପାଣି, ବସନ୍ତ ନାୟକ, ବିନୋଦ ନନ୍ଦ, ସଲିମ ଖାଁ, ସାଲେଗ୍ରାମ ସାହୁ, ସୁବାସ ସିଂଙ୍କ ସହ ବହୁ ସଭ୍ୟା ଉପସ୍ଥିତ ଥିଲେ।