ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନ କରି ପ୍ରତ୍ୟେକ ସାମ୍ବାଦିକଙ୍କୁ ବୟକଟ୍ କରିଛନ୍ତି: ସିଦ୍ଧରମୈୟା | News Room Odisha

ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନ କରି ପ୍ରତ୍ୟେକ ସାମ୍ବାଦିକଙ୍କୁ ବୟକଟ୍ କରିଛନ୍ତି: ସିଦ୍ଧରମୈୟା

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ସାମିଲ ଦଳଗୁଡ଼ିକ ୧୪ ନ୍ୟୁଜ୍ ଆଙ୍କରଙ୍କ ଶୋ’କୁ ସେମାନଙ୍କ କୌଣସି ପ୍ରତିନିଧୀ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର୍ ଧରିଛି । ସାମ୍ବାଦିକଙ୍କୁ ବୟକଟ୍ ନେଇ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଛି ବିଜେପି । ଏହା ବିରୋଧୀ ମେଣ୍ଟର ନାଜିବାଦ ମାନସିକତାକୁ ଦର୍ଶାଉଛି ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ନଡ୍ଡାଙ୍କ ଏପରି ଅଭିଯୋଗର ଜବାବ ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜେପି ନଡ୍ଡାଙ୍କୁ ଟ୍ୟାଗ୍ କରି ସିଦ୍ଧରମୈୟା ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାଁନ୍ତି । ଏପରି କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ସାମ୍ବାଦିକଙ୍କୁ ବୟକଟ୍ କରିଛନ୍ତି। ଯେଉଁ ୧୪ ଜଣ ଆଙ୍କର୍ ଏକ ରାଜନୈତିକ ଦଳର ମୁଖପାତ୍ର ସାଜି ସାମ୍ବାଦିକତାର ନୈତିକତା ସହ ସାଲିସ କରିଛନ୍ତି, ସେମାନଙ୍କୁ ବୟକଟ୍ କରିବାରେ ଭୁଲ୍ କେଉଁଠି ରହିଲା?”

ଏଥିସହ ସିଦ୍ଧରମୈୟା ତାଙ୍କ ଏହି ପୋଷ୍ଟରେ ଏପରି କିଛି ସାମ୍ବାଦିକଙ୍କ ତାଲିକା ସେୟାର କରିଛନ୍ତି ଯେଉଁମାନଙ୍କୁ ସରକାରଙ୍କୁ ପ୍ରଶ୍ନ କରିବାରୁ ଗିରଫ କରାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହତ୍ୟାର ଶିକାର କିଛି ସାମ୍ବାଦିକଙ୍କ ତାଲିକା ମଧ୍ୟ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଇଣ୍ଡିଆ ମେଣ୍ଟର ମିଡ଼ିଆ କମିଟି ୧୪ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଆଙ୍କରମାନେ ହେଲେ ସୁଧୀର ଚୌଧୁରୀ, ଆଦିତ୍ୟ ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେବଗନ୍, ଆନନ୍ଦ ନରସିଂହା, ଅର୍ଣ୍ଣବ ଗୋସ୍ୱାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରବ ସାୱନ୍ତ, ନଭିକା କୁମାର, ପ୍ରାଚି ପରାଶର, ରୁବିକା ଲିଆକତ, ଶିବ ଅରୁର୍ ଓ ସୁଶାନ୍ତ ସିହ୍ନା | ଏହି ୧୪ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ନିଜ ପ୍ରତିନିଧିଙ୍କୁ ପଠାଇବେ ନାହିଁ ।