ମହିଳା ସଂରକ୍ଷଣ ବିଲକୁ ରାଜୀବ ଗାନ୍ଧୀଙ୍କ ଅବଦାନ କହିଲେ ସୋନିଆ, ପଛୁଆବର୍ଗ ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ ଦାବି କଲେ | News Room Odisha

ମହିଳା ସଂରକ୍ଷଣ ବିଲକୁ ରାଜୀବ ଗାନ୍ଧୀଙ୍କ ଅବଦାନ କହିଲେ ସୋନିଆ, ପଛୁଆବର୍ଗ ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ ଦାବି କଲେ

ନୂଆଦିଲ୍ଲୀ: ଲୋକସଭା ତଥା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ପାଇଁ ଆଗତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲକୁ କଂଗ୍ରେସର ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସମର୍ଥନ କରିଛନ୍ତି । ଆଜି ଲୋକସଭାରେ ଏହି ଚର୍ଚ୍ଚିତ ବିଲ୍ ଉପରେ ଆଲୋଚନା ଚାଲିଛି । କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ କରି ସୋନିଆ କହିଛନ୍ତି, ଏହି ବିଲ୍ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଥିଲା । କିନ୍ତୁ ମୁଁ ସରକାରଙ୍କଠାରୁ ଜାଣିବାକୁ ଚାହେଁ ଏହି ବିଲ୍ ଲାଗୁ କରିବାକୁ କେତେ ଦିନ ଅପେକ୍ଷା କରିବାକୁ ପଡିବ ?”

ଦୀର୍ଘ ଦିନର ବ୍ୟବଧାନ ପରେ ସୋନିଆ ଗାନ୍ଧୀ ଲୋକସଭାରେ ଏକ ଭାଷଣ ଦେଇଥିଲେ ।

ସେ କହିଛନ୍ତି, “ମୁଁ ନାରୀ ଶକ୍ତି ବନ୍ଦନ ଆଇନକୁ ସମର୍ଥନ କରୁଛି । ଏହା ମୋ’ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ଏହା ମୋ’ ପତି ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଥିଲା । ସେ ପୌର ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ଵ ବଢ଼ାଇବା ପାଇଁ ବିଲ୍ ଆଣି ପାରିତ କରିଥିଲେ। ଆଜି ପୌର ନିର୍ବାଚନରେ ୧୫ ଲକ୍ଷ ମହିଳା ନିର୍ବାଚିତ ହୋଇଛନ୍ତି । ଏହା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ଯାହା ପୂରଣ ହୋଇନଥିଲା। କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି, ମହିଳାମାନେ ବର୍ଷ ବର୍ଷ ଧରି ସେମାନଙ୍କର ଅଧିକାର ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ କୁହାଯାଇଛି। ଦୁଇ ବର୍ଷ, ଚାରି ବର୍ଷ, ପାଞ୍ଚ ବର୍ଷ? ଏହି ଅପେକ୍ଷା କେତେ ଦିନ ? ”

“ଏହା ସହ ପଛୁଆ ଶ୍ରେଣୀରୁ ଆସୁଥିବା ମହିଳାମାନଙ୍କୁ ଜନଗଣନା ଆଧାରରେ ସଂରକ୍ଷଣ ପାଇବା ଉଚିତ୍। ମହିଳାଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ”

ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ନାରୀ ଶକ୍ତି ବନ୍ଦନ ଆଇନର ସମସ୍ତ ଅଭାବ ପୂରଣ ସହ ଏହାକୁ ଯଥାଶୀଘ୍ର ଲାଗୁ କରାଯାଉ। ”