ଦୁବାଇ - ଭୁବନେଶ୍ୱର ବିମାନରେ ଆସିଲେ ୧୭୦ ଯାତ୍ରୀ, କିଛି ସମୟ ପରେ ଭୁବନେଶ୍ୱର-ଦୁବାଇ ବିମାନ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଦୁବାଇ – ଭୁବନେଶ୍ୱର ବିମାନରେ ଆସିଲେ ୧୭୦ ଯାତ୍ରୀ, କିଛି ସମୟ ପରେ ଭୁବନେଶ୍ୱର-ଦୁବାଇ ବିମାନ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ । ଦୁବାଇ -ଭୁବନେଶ୍ୱର ବିମାନରେ ୧୭୦ ଜଣ ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ ।

ଆଉ କିଛି ସମୟ ପରେ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ଏହି ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିବେ । ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା ।

ଭୁବନେଶ୍ୱର – ଦୁବାଇ ବିମାନ ସେବା ଦ୍ୱାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ଗତବର୍ଷ ଦୁବାଇରେ ‘ମେକ ଇନ ଓଡିଶା’ କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।