ପାକିସ୍ତାନରେ ହିଂସା ପାଇଁ ମୋଦୀଙ୍କୁ ଦାୟୀ କଲେ ପାକ୍ ଅଭିନେତ୍ରୀ, ଦିଲ୍ଲୀ ପୋଲିସ ଦେଲା ଏଭଳି ଜବାବ୍ | News Room Odisha

ପାକିସ୍ତାନରେ ହିଂସା ପାଇଁ ମୋଦୀଙ୍କୁ ଦାୟୀ କଲେ ପାକ୍ ଅଭିନେତ୍ରୀ, ଦିଲ୍ଲୀ ପୋଲିସ ଦେଲା ଏଭଳି ଜବାବ୍

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ପାକିସ୍ତାନରେ ନିଆଁ ଜଳୁଛି । ଇମ୍ରାନଙ୍କ ସମର୍ଥକ ଏବଂ ତାଙ୍କ ଦଳ ପିଟିଆଇ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଭଙ୍ଗାରୁଜା ଓ ପୋଡ଼ାଜଳା ଖବର ଆସୁଛି। ଗଭର୍ଣ୍ଣର ହାଉସ୍ ଠାରୁ ଆରମ୍ଭ କରି ସେନା କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ କୋଠା ଉପରେ ଆକ୍ରମଣ ହେଉଛି। ଇତିମଧ୍ୟରେ ଜଣେ ପାକିସ୍ତାନୀ ଅଭିନେତ୍ରୀ ନିଜ ଦେଶର ଏଭଳି ଅବସ୍ଥା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥା ର’କୁ ଦାୟୀ କରିଛନ୍ତି । ଏଥିପାଇଁ ସେ ଦିଲ୍ଲୀ ପୋଲିସର ସହାୟତା ଲୋଡିଛନ୍ତି। ଦିଲ୍ଲୀ ପୋଲିସ ଏହାର ମଜାଳିଆ ଜବାବ ଦେଇ ପାକିସ୍ତାନୀ ଅଭିନେତ୍ରୀଙ୍କ ମୁହଁ ବନ୍ଦ କରିଦେଇଛି ।

ପାକିସ୍ତାନୀ ଅଭିନେତ୍ରୀ ଶହର ସିନଓ୍ବାରୀ ଏକ ଟ୍ୱିଟ୍ କରି କହିଥିଲେ, “ଦିଲ୍ଲୀ ପୋଲିସର ଅନଲାଇନ୍ ଲିଙ୍କ୍ କେହି ଜାଣନ୍ତି କି? ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଗୁପ୍ତଚର ଏଜେନ୍ସି ର’ ବିରୋଧରେ ଅଭିଯୋଗ ଦାଖଲ କରିବି, ସେମାନେ ମୋ ଦେଶ ପାକିସ୍ତାନରେ ଅରାଜକତା ଏବଂ ଆତଙ୍କବାଦର ପ୍ରସାର କରୁଛନ୍ତି । ଯଦି ଭାରତୀୟ ଅଦାଲତ ସ୍ୱାଧୀନ (ସେମାନେ ଏଭଳି ଦାବି କରନ୍ତି), ତେବେ ମୁଁ ନିଶ୍ଚିତ ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମୋତେ ନ୍ୟାୟ ପ୍ରଦାନ କରିବେ।”

ସିନଓ୍ବାରୀଙ୍କ ଏହି ଟ୍ବିଟର ଜବାବ ଦେଇଥିଲା ଦିଲ୍ଲୀ ପୋଲିସ ।‌ ଦିଲ୍ଲୀ ପୋଲିସ କହିଥିଲା, ପାକିସ୍ତାନ ଆମ ଅଧିକାର କ୍ଷେତ୍ରରେ ଆସୁନି। କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ ଯେ ଆପଣଙ୍କ ଦେଶରେ ଇଣ୍ଟରନେଟ୍ ବନ୍ଦ ଥିବାବେଳେ ଆପଣ କିପରି ଟୁଇଟ୍ କରୁଛନ୍ତି ?”

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛି ମାମଲାର ଶୁଣାଣି ପାଇଁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ଯାଇଥିବା ବେଳେ ସେଠାରୁ ତାଙ୍କୁ ପାକିସ୍ତାନୀ ସେନାର ରେଞ୍ଜର୍ସ ଗିରଫ କରିଥିଲେ। ଇମ୍ରାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା କୁହାଯାଇଛି । ତେବେ ସେ ବହୁଦିନ ଧରି ପାକ୍ ଗୁଇନ୍ଦା ବିଭାଗ ‘ଆଇଏସ୍ଆଇ’ ର ଜଣେ ବଡ଼ ଅଧିକାରୀଙ୍କ ବିରୋଧରେ ବୟାନବାଜି କରୁଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି।

ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ବ୍ୟାପକ ହିଂସା ଘଟିଛି। ଇମ୍ରାନଙ୍କ ସମର୍ଥକମାନେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ପୋଡ଼ାଜଳା କରୁଛନ୍ତି। ଇମ୍ରାନଙ୍କ ପାର୍ଟି ପିଟିଆଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ହିଂସାକୁ ଦୃଷ୍ଟିରେ ରଖି ସାରା ଦେଶରେ ଧାରା ୧୪୪ ଲାଗୁ କରାଯାଇଛି। ପାକିସ୍ତାନରେ ମୋବାଇଲ୍ ଇଣ୍ଟରନେଟ୍ ଓ ଟ୍ୱିଟର ସେବା ବନ୍ଦ କରିଦିଆଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ସାରା ଦେଶରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ମଧ୍ୟ ବନ୍ଦ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ ହ୍ବାଟସଆପ୍ ଓ ଫେସବୁକ୍ ସହ ସବୁ ସୋସିଆଲ୍ ମିଡିଆ ସାଇଟ୍ ମଧ୍ୟ ବ୍ଲକ୍ କରାଯାଇଛି ।