ଦୁଇ ଫେରାର ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କଲା ବ୍ରହ୍ମପୁର ପୋଲିସ, ବାଜ୍ୟାପ୍ତ ହେବ ସମ୍ପତ୍ତି | News Room Odisha

ଦୁଇ ଫେରାର ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କଲା ବ୍ରହ୍ମପୁର ପୋଲିସ, ବାଜ୍ୟାପ୍ତ ହେବ ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ପୋଲିସ ଜିଲ୍ଲା ପରେ ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଲମ୍ବା ସମୟ ଧରି ଫେରାର ଥିବା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି। ପୋଲିସ ବା କୋର୍ଟ ଆଗରେ ଆତ୍ମସମର୍ପଣ କର, ନଚେତ୍ ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ପୂର୍ବରୁ ଗୋସାଇଁନୂଆଗାଁର ଜଣେ ଜଣାଶୁଣା ଅପରାଧୀ ବିରୋଧରେ ଏହି କୌଶଳ ପ୍ରୟୋଗ କରାଯିବା ପରେ ସେ ବାଧ୍ୟ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏବେ ଆଉ ଦୁଇ ଫେରାର ଅଭିଯୁକ୍ତଙ୍କୁ କାବୁ କରିବା ଉଦ୍ଦେଶ୍ୟରେ ପୋଲିସ ସେମାନଙ୍କୁ ପଳାତକ ଘୋଷଣା କରିଛି। ଆଉ ଚେତାବନୀ ଦେଇଛି ଯେ ନିର୍ଦ୍ଧାରିତ ସମୟ ସୁଦ୍ଧା ଆତ୍ମସମର୍ପଣ ନକଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ନିଆଯିବ।

୨୦୧୧ ମସିହାରେ ଏକ ଲୁଟ୍‌ ମାମଲାର ଫେରାର ହୋଇଯାଇଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଗୌଡ଼ ସାହିର ସନ୍ତୋଷ ଶତପଥୀ। ପୋଲିସ ତାଙ୍କୁ ପଳାତକ ଘୋଷଣା କରିଛି। ମାସକ ଭିତରେ ସୁଶାନ୍ତଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ। ନଚେତ୍ କୋର୍ଟ ନିର୍ଦ୍ଦେଶରେ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ପୋଲିସ ଡାକବାଜି ଯନ୍ତ୍ରରେ ତାଙ୍କ ସାହିରେ ଘୋଷଣା କରିଛି। ତାଙ୍କ ଘର କାନ୍ଥ, ସହରର ବିଭିନ୍ନ ସ୍ଥାନ, ରେଳଷ୍ଟେସନରେ ପଳାତକ ପୋଷ୍ଟର୍ ଲଗାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍।

୨୨.୭.୨୦୧୧ ଜୁଲାଇରେ ଏକ ଲୁଟ ମାମଲାରେ ଗିରଫ ହୋଇ ଜେଲ୍ ଯାଇ ପରେ ଜାମିନରେ ମୁକୁଳିଥିବା ସୁଶାନ୍ତ ମାମଲାର ବିଚାରଣା ସମୟରେ କୋର୍ଟରେ ହାଜର ହୋଇନଥିଲେ। ଫଳରେ ବିଚାରପତି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ। କୋର୍ଟ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା ପରେ ଶେଷରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ବଳରେ ପୋଲିସ ସୁଶାନ୍ତଙ୍କ ଘରେ ପହଞ୍ଚି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଥମେ ମାଇକ୍‌ରେ ଘୋଷଣା, ପରେ କୋର୍ଟ ନିର୍ଦ୍ଦେଶନାମାର ନକଲ ପରିବାର ଲୋକଙ୍କୁ ଦିଆଯାଇଥିଲା। ଏବେ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ହାଜର ନହେଲେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ।

ସେହିପରି ଏକ ଠକେଇ ମାମଲାର ଦୁଇ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିର ସନ୍ତୋଷ କୁମାର ବିଶ୍ଵାଳକୁ ପଳାତକ ଘୋଷଣା କରାଯାଇଛି। ମାସକ ଭିତରେ କୋର୍ଟରେ ହାଜର ନହେଲେ ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୋଲିସ ଡାକବାଜି ଯନ୍ତ୍ରରେ ସାହିରେ ଘୋଷଣା ସାଙ୍ଗକୁ ଘର କାନ୍ଥ ଓ ବିଭିନ୍ନ ସ୍ଥାନରେ, ଷ୍ଟେସନରେ ପୋଷ୍ଟର ଛାପିଛି। ସନ୍ତୋଷ ଓ ତାର ସହଯୋଗୀ ବିଶ୍ବରଞ୍ଜନ ପାତ୍ର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୧୯.୧.୨୦୨୧ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ବିଶ୍ଵରଞ୍ଜନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇଯାଇଛି। କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ଏବେ ପଳାତକ ଘୋଷଣା କରିଛି।