ପୁଟିନଙ୍କୁ 'ୱାଗନର୍ ଗ୍ରୁପ୍' ମୁଖ୍ୟଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ରୁଷ ପାଇବ ନୂଆ ରାଷ୍ଟ୍ରପତି | News Room Odisha

ପୁଟିନଙ୍କୁ ‘ୱାଗନର୍ ଗ୍ରୁପ୍’ ମୁଖ୍ୟଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ରୁଷ ପାଇବ ନୂଆ ରାଷ୍ଟ୍ରପତି

ମସ୍କୋ: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି । ପୁଟିନଙ୍କ ଅନ୍ୟତମ ପାଖଲୋକ କୁହାଯାଉଥିବା ୟେଭେଗେନି ପ୍ରିଗୋଜିନ୍ ହିଁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରିଗୋଜିନ୍ ହେଉଛନ୍ତି ରୁଷର ଏକ‌ ଘରୋଇ ତଥା ପ୍ରାଇଭେଟ୍ ଆର୍ମି ‘ୱାଗନର୍ ଗ୍ରୁପ୍’ ମୁଖ୍ୟ । ଏହି ପ୍ରାଇଭେଟ୍ ଆର୍ମି ୟୁକ୍ରେନ ସହ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରୁଥିଲା । ପ୍ରିଗୋଜିନ୍ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି କରିଥିବା ଭୁଲ ତାଙ୍କୁ କ୍ଷମତାରୁ ହଟାଇବ । ଏହାର ଜବାବରେ ଭ୍ଲାଦିମିର ପୁଟିନ ୱାଗନର୍ ଗ୍ରୁପର ବିଦ୍ରୋହକୁ ଦୃଢ ହସ୍ତରେ ଦମନ କରିବା କଥା କହିଛନ୍ତି । ପୁଟିନଙ୍କ ଏହି ବୟାନ ପରେ ପ୍ରିଗୋଜିନ୍ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଦେଶକୁ ତାଙ୍କ ସମ୍ବୋଧନ ସମୟରେ ଭୁଲ ବିକଳ୍ପ ବାଛିଛନ୍ତି । ଦେଶ ଖୁବ୍ ଶୀଘ୍ର ଏକ ନୂଆ ରାଷ୍ଟ୍ରପତି ପାଇବ।

ୱାଗନର୍ ଗ୍ରୁପ୍ କହିଛି ଯେ ତାଙ୍କ ଭାଷଣ ସମୟରେ ରୁଷର ରାଷ୍ଟ୍ରପତି ଭୁଲ ବିକଳ୍ପ ଚୟନ କରିଛନ୍ତି । ଦେଶ ଖୁବ୍ ଶୀଘ୍ର ଏକ ନୂଆ ରାଷ୍ଟ୍ରପତି ପାଇବ। ୟେଭେନି ପ୍ରିଗୋଜିନଙ୍କ ନେତୃତ୍ୱରେ ଭଡ଼ାଟିଆ ସୈନ୍ୟମାନେ ରୁଷର ଦୁଇଟି ସହରକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛନ୍ତି । ୱାଗନର୍ ଗ୍ରୁପ୍ ଦେଶର ସେନା ନେତୃତ୍ୱକୁ ହଟାଇବା ପ୍ରୟାସରେ ତିନିଟି ସେନା ହେଲିକପ୍ଟରକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଆଗକୁ ବଢ଼ିବା ବେଳେ ନ୍ୟାସନାଲ ଗାର୍ଡଠୁ ସେମାନେ ସେଭଳି ଦୃଢ଼ ପ୍ରତିରୋଧର ସମ୍ମୁଖୀନ ହୋଇନଥିଲେ ବୋଲି ମଧ୍ୟ କହିଛି ୱାଗନର ଗ୍ରୁପ୍।

ୱାଗନର୍ ଗ୍ରୁପ୍‌ର ବିଦ୍ରୋହ ପରେ ଦେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍ କଠିଣ ସମୟରେ ରୁଷ ପ୍ରତି ବିଶ୍ୱାସଘାତକତା କରି ସେନାକୁ ଚ୍ୟାଲେଞ୍ଜ କରିଛି । ସେନା ବିରୁଦ୍ଧରେ ଅସ୍ତ୍ର ଉଠାଇଥିବା ସମସ୍ତେ ଦେଶଦ୍ରୋହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିଗୋଜିନ୍‌ଙ୍କ ଏହି ପଦକ୍ଷେପ ରୁଷର ଲୋକଙ୍କ ପିଠିରେ ଛୁରି ଭୁସିବା ଭଳି ହୋଇଛି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରିଗୋଜିନ ଏପରି କରିଛନ୍ତି। ସେ କହିଛନ୍ତି ଯେ ରୁଷ ନିଜ ଭବିଷ୍ୟତ ପାଇଁ ପୂର୍ଣ୍ଣ ସାମର୍ଥ୍ୟ ସହ ଲଢ଼ୁଛି। ଆମର ଜବାବ ଆହୁରି କଠୋର ହେବ ବୋଲି ରାଷ୍ଟ୍ରପତି ପୁଟିନ ‘ଓ୍ବାଗନର ଗ୍ରୁପ’କୁ ଚେତାବନୀ ଦେଇଛନ୍ତି । ସାମ୍ପ୍ରତିକ ସ୍ଥିତିକୁ ନେଇ ପୁଟିନ ସେନା କମାଣ୍ଡରଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି ଏବଂ ବିଦ୍ରୋହୀମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡ଼ିଛି ।