କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ, ଲିଜ୍ ସୂତ୍ରରେ ସରକାରୀ ଜମି ହେବ ସ୍ଥିତିବାନ୍ | News Room Odisha

କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ, ଲିଜ୍ ସୂତ୍ରରେ ସରକାରୀ ଜମି ହେବ ସ୍ଥିତିବାନ୍

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିଭାଗର ୧୪ଟି ପ୍ରସ୍ତାବକୁ ମୋହର ବାଜିଛି । ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ୧୪ଟି ମଞ୍ଜୁର ହୋଇଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ବୈଠକରେ ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ନିଷ୍ପତ୍ତି ଅନୁସାରେ ବିଡିଏ, ସିଡିଏ, ହାଉସିଂବୋର୍ଡ ଜମିର ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ଦେୟ କମିବ । ଲିଜ୍‌ ସୂତ୍ରରେ ପାଇଥିବା ସରକାରୀ ଜମିକୁ ସ୍ଥିତିବାନ କରିବାକୁ ଦେୟ ହ୍ରାସ କରାଯିବ ।

ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦ ପ୍ରତିଶତ ଦେୟ ପଡୁଥିଲା । ଏବେ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ । ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩ ପ୍ରତିଶତ ଦେୟରେ ହେବ କନ୍‌ଭର୍‌ସନ୍‌ ।

କୃଷି ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ରାଜ୍ୟରେ କଫି ଚାଷ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ହୋଇଛି।