ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡ଼ିଆ ପୋଷ୍ଟ ନେଇ ଲଲିତ ମୋଦିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ | News Room Odisha

ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡ଼ିଆ ପୋଷ୍ଟ ନେଇ ଲଲିତ ମୋଦିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏକ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ସୁପ୍ରିମକୋର୍ଟ ପୂର୍ବତନ ଆଇପିଏଲ କମିଶନର ଲଲିତ ମୋଦିଙ୍କୁ ଭର୍ତ୍ସନା କରିଛନ୍ତି । ଲଲିତ ମୋଦି ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଏନେଇ ତାଙ୍କ ଉପରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଏମଆର ଶାହା ଏବଂ ସିଟି ରବିକୁମାରଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ଲଲିତ ମୋଦି ଆଇନ ଓ ସଂସ୍ଥାରୁ ଉର୍ଦ୍ଧ୍ବରେ ନୁହଁନ୍ତି। ଲଲିତ ମୋଦିଙ୍କ ଦ୍ୱାରା ଦାଖଲ ହୋଇଥିବା ଜବାବୀ ସତ୍ୟପାଠରେ ମଧ୍ୟ କୋର୍ଟ ସନ୍ତୁଷ୍ଟ ହୋଇନଥିଲେ । ପୂର୍ବତନ ଆଇପିଏଲ୍ କମିଶନରଙ୍କୁ ସୋସିଆଲ ମିଡିଆରେ ତଥା ଜାତୀୟ ଖବରକାଗଜରେ ନିଃସର୍ତ୍ତ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କ୍ଷମା ମାଗିବା ପୂର୍ବରୁ ଲଲିତଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଭାରତୀୟ ନ୍ୟାୟପାଳିକା ଉପରେ କୌଣସି ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ମଧ୍ୟ ମୋଦିଙ୍କୁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।