ମୁକ୍ତା ଯୋଜନାରେ ଗୋପାଳପୁର ଏନ୍ଏସିକୁ ୧.୧୩ କୋଟି: କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ | News Room Odisha

ମୁକ୍ତା ଯୋଜନାରେ ଗୋପାଳପୁର ଏନ୍ଏସିକୁ ୧.୧୩ କୋଟି: କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ଗୋପାଳପୁର: ଗୋପାଳପୁର ଏନ୍ଏସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧ କୋଟି ୧୩ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ୨୦୨୩-୨୪ ମସିହା ନିମନ୍ତେ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବିଶେଷ କରି ବେଳାଭୂମି ସହରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଦୃଷ୍ଟିକୁ ସୁହାଇବା ଭଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଏଥିରେ ଗୁରୁତ୍ବ ଦିଆଯିବ।

ଏଥିସହ ଏନ୍ଏସି ବାସିନ୍ଦାଙ୍କ ସୁବିଧା ସୁଯୋଗ ପ୍ରତି ମଧ୍ୟ ନଜର ଦିଆଯିବ। ଗୋପାଳପୁର ବାସିନ୍ଦାଙ୍କୁ ମିଳିବ ଶତପ୍ରତିଶତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଏବଂ ପ୍ରତି ଘରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ। ଏଥିସାଙ୍ଗକୁ ସହରର ନାଳନର୍ଦ୍ଦମା ସଫେଇ, ରାସ୍ତାରେ ଫେବର୍ ବ୍ଲକ୍ ବିଛାଯାଇ ସୌନ୍ଦର୍ଯ୍ୟକରଣ, ଆଦର୍ଶ ଶ୍ମଶାନ ନିର୍ମାଣ ଆଦି କରାଯିବ। ସେହିପରି ଏସ୍ଏଚଜି ସଶକ୍ତୀକରଣ ପାଇଁ ସେମାନଙ୍କ ଜୀବିକା ନିର୍ବାହ ବ୍ୟବସ୍ଥା ବ୍ୟବସ୍ଥା ମଧ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ ଅଟେ। ଏଥିରୁ ମହିଳା ଗୋଷ୍ଠୀ, ମତ୍ସ୍ୟଜୀବୀ ସମ୍ପ୍ରଦାୟ ମଧ୍ୟ ଉପକୃତ ହେବେ।

ମୁକ୍ତା ଯୋଜନାରେ ୧୯ଟି ପ୍ରକଳ୍ପର ଅଟକଳ ହୋଇ ସାରିଥିବାରୁ ତୁରନ୍ତ କାର୍ଯ୍ୟ ସାରିବା ଉପରେ ଗୁରୁତ୍ବ ଦିଆଯାଉଛି ଯାହାଦ୍ବାରା କି ଅଞ୍ଚଳବାସୀ ଏଥିରୁ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ।

ଅନୁଦାନ ପ୍ରସ୍ତାବ ମିଳିବା ପରେ ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ. ଜାନକୀ ରାମ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ସମସ୍ତ କାଉନସିଲର, ସହରର ବୁଦ୍ଧିଜୀବୀ, ମହିଳା ସଂଘ, ମତ୍ସଜୀବୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ. ପାଣ୍ଡିଆନ, ନଗର ଉନ୍ନୟନ ସଚିବ ଜି.ମାଥିଭାତନନ୍, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏନ୍ଏସି କାଉନସିଲରମାନେ ଅଧ୍ୟକ୍ଷ ଏ. ଜାନକୀ ରାମଙ୍କ ନେତୃତ୍ବରେ ଡ. ଗୋପବନ୍ଧୁ ଦାଶଙ୍କୁ ଭେଟି ଅନୁଦାନ ମଞ୍ଜୁର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।