ଗିଲଙ୍କ ଶତକ ସତ୍ତ୍ୱେ ବାଂଲାଦେଶ ଠାରୁ ହାରିଲା ଭାରତ | News Room Odisha

ଗିଲଙ୍କ ଶତକ ସତ୍ତ୍ୱେ ବାଂଲାଦେଶ ଠାରୁ ହାରିଲା ଭାରତ

କଲମ୍ବୋ: ଶୁଭମାନ ଗିଲଙ୍କ ଶତକୀୟ ଇନିଂସ୍ ସତ୍ତ୍ବେ ଭାରତ ପ୍ରେମଦାସା ଷ୍ଟାଡିୟମରେ ଶୁକ୍ରବାର ଏସିଆ କପର ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶ ଠାରୁ ୬ ରନରେ ହାରିଯାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ଵେ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଅଧିନାୟକ ଶାକିବ ଅଲ୍ ହସନ ୮୦ ରନର ଲଢୁଆ ଇନିଂସ ଖେଳିଥିବା ବେଳେ ତୋହିଦ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଥିଲେ । ୨୬୬ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ୪୯.୫ ଓଭରରେ ୨୫୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ବାଂଲାଦେଶ ୨୦୧୨ ପରେ ଭାରତକୁ ଏସିଆ କପରେ ହରାଇଛି । ଏହି ଚମତ୍କାର ବିଜୟ ସହ ନିଜ ଅଭିଯାନ ଶେଷ କରିଛି ବାଂଲାଦେଶ ।

ଗିଲ୍ ଓ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଅଧିନାୟକ ରୋହିତ ଶର୍ମା ଖାତା ଖୋଲିନପାରି ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ତେବେ ଗିଲ୍ ଚମତ୍କାର ଶତକ ସହ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । ଗିଲ୍ ୧୩୩ ବଲରେ ୭ଟି ଚୌକା ଓ ୫ଟି ଛକା ସହ ୧୨୧ ରନ୍ କରିଥିଲେ। ଦଳର ମିଡିଲ ଅର୍ଡର କିନ୍ତୁ ଫେଲ୍ ମାରିଥିଲା । ଗିଲ୍ ୪୪ ତମ ଓଭରରେ ଆଉଟ୍ ହୋଇଯିବା ପରେ ଅକ୍ଷର ପଟେଲ ଶେଷ ପର୍ଯ୍ୟନ୍ତ ଲଢ଼ି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ୪୯ତମ ଓଭରରେ ସେ ଆଉଟ୍ ହୋଇଯିବା ପରେ ଭାରତର ଆଶା ମଉଳି ଯାଇଥିଲା । ଅକ୍ଷର ୩୪ ବଲରେ ୪୨ ରନ୍ କରିଥିଲେ।

ଏହି ମ୍ୟାଚ୍ ପାଇଁ ଭାରତ ଚୂଡ଼ାନ୍ତ ଏକାଦଶରେ ମୋଟ ୫ଟି ପରିବର୍ତ୍ତନ କରିଥିଲା। ଯୁବ ବ୍ୟାଟର ତିଳକ ବର୍ମା ଦିନିକିଆ ଡେବ୍ୟୁ କରିବାକୁ ସୁଯୋଗ ପାଇଥିଲେ । ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା ଓ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଜିର ମ୍ୟାଚ ଖେଳୁଛନ୍ତି। ଶାର୍ଦ୍ଦୁଲ ଠାକୁର ବି ଦଳକୁ କମବ୍ୟାକ କରିଥିଲେ। ବିରାଟ କୋହଲି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିଲା ।

ଟୁର୍ଣ୍ଣାମେଣ୍ଟର ଫାଇନାଲ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।