ପ୍ରହଲ୍ଲାଦ ନାଟକ ଗୁରୁ ଶ୍ରେଷ୍ଠ କୃଷ୍ଣଚନ୍ଦ୍ର ସାହୁଙ୍କ ପରଲୋକ | News Room Odisha

ପ୍ରହଲ୍ଲାଦ ନାଟକ ଗୁରୁ ଶ୍ରେଷ୍ଠ କୃଷ୍ଣଚନ୍ଦ୍ର ସାହୁଙ୍କ ପରଲୋକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଲୋକକଳା ପ୍ରହଲ୍ଲାଦ ନାଟକର ଗୁରୁ ଶ୍ରେଷ୍ଠ କୃଷ୍ଣଚନ୍ଦ୍ର ସାହୁ ବୁଧବାର ପରଲୋକ ଗମନ କରିଛନ୍ତି। ମୃୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଭୁବନେଶ୍ଵର ଠାରେ ପୁଅ ନିକଟରେ ରହି ଚିକିତ୍ସିତ ହେଉଥିଲେ। ପରଲୋକ ପରେ ପାର୍ଥିବ ଶରୀରକୁ ନିଜ କର୍ମକ୍ଷେତ୍ର ତଥା ସାଧନା ସ୍ଥଳ ଚିକିଟି ବ୍ଲକ୍ ଲିଆଖାଇକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବା ବ୍ୟବସ୍ଥା କରାଯାଇଛି। ସେ ମୂଳତଃ ବେଲଗୁଣ୍ଠା ବ୍ଲକ୍ ନୂଆଗଡ ବାସିନ୍ଦା। ସେ ଏହି ପାରମ୍ପରିକ ଲୋକନୃତ୍ୟର ଜଣେ ମହାନ୍ ପ୍ରତିଭାସମ୍ପନ୍ନ ଗୁରୁ ଥିଲେ ଯିଏକି ନୃତ୍ୟ ତାଳ ବିଶାରଦ, ନୃତ୍ୟ ନଟରାଜ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ।

ରାଷ୍ଟ୍ରପତି ପୁରସ୍କାର ସମେତ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ। ଏପରିକି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ମଧ୍ୟ ଯାଇ ସେ ପ୍ରହଲ୍ଲାଦ ନାଟକ ପରିବେଷଣ କରିଥିଲେ। ତାଙ୍କର ବହୁ ବିଶିଷ୍ଟ ଶିଷ୍ୟ ଅଛନ୍ତି ଯେଉଁମାନେ ପରବର୍ତ୍ତୀ ସମୟରେ ଗୁରୁ ଭାବେ ଏହି ଲୋକକଳାକୁ ଆଗେଇ ନେଉଛନ୍ତି। ତାଙ୍କ ବିୟୋଗ ପ୍ରହ୍ଲାଦ ନାଟକ ଜଗତ ନିମନ୍ତେ ଏକ ଅପୂରଣୀୟ କ୍ଷତି। ତାଙ୍କ ମୃତ୍ୟୁ ଖବର ଶୁଣି ଆଜି ପ୍ରହଲ୍ଲାଦ ନାଟକର ସମସ୍ତ କଳାକାର ଓ କନିଷ୍ଠ ଗୁରୁମାନେ ମର୍ମାହତ। ଶେଷ ଦର୍ଶନ କରି ଅମର ଆତ୍ମାର‌ ସଦଗତି କାମନା କରିଛନ୍ତି।