୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର କରି ବିଏମ୍‌ସି ଶ୍ରେଷ୍ଠ ମହାନଗର ନିଗମ ଭାବେ ପୁରସ୍କୃତ 

ଭୁବନେଶ୍ୱର – ୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ପ୍ରଥମ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ମହାନଗର ନିଗମ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଛି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମିର ମାଲିକାନା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ୱରୂପ ଆଜି ବିଏମ୍‌ସି ଅଂଚଳର ୫୧ ହଜାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ରାଜ୍ୟର ୫ଟି ମହାନଗର ନିଗମ ମଧ୍ୟରୁ ଖୁବ୍ କମ ଦିନରେ ବିଏମ୍‌ସି ୧୩୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ବିଏମସି ମେୟର ସୁଲୋଚନା ଦାସ , କମିଶନର ବିଜୟ ଅମୃତା କୁଲାଙ୍ଗେ , ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ , ସିଟି ଇଂଜିନିୟର ଅରୁଣ କୁମାର ନାୟକ ଏବଂ କର୍ପୋରେଟରମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଏହି ଅଭିଯାନ ଆଜି କାର୍ଯ୍ୟକ୍ରମରେ ସୀମିତ ନ ରହି ଆସନ୍ତା ଅକ୍ଟୋବର ମାସ ଯାଏଁ ଚାଲୁ ରହିବ ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ଭୂମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଏମ୍‌ସି ଅଂଚଳର ୪ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଥିବା ବେଳେ ବିଏମ୍‌ସିର ୩ଟି ଜୋନ୍ ଅଫିସରେ ୪୬ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

Comments are closed.