‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ମହୁଆ ମଇତ୍ର ସଂସଦରୁ ବହିଷ୍କୃତ

ନୂଆଦିଲ୍ଲୀ: ‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ସଂସଦରୁ ବହିଷ୍କୃତ ହୋଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର । ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ଏହା ବାଚନିକ ଭୋଟ୍ ଦ୍ବାରା ଗୃହୀତ ହୋଇଛି । ଏହି ରିପୋର୍ଟ ଉପସ୍ଥାପିତ ହେବା କ୍ଷଣି ବିରୋଧୀ ସାଂସଦମାନେ ହୋହଲ୍ଲା କରିଥିଲେ । ଯେଉଁଥିପାଇଁ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ପଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ନୈତିକ କମିଟି ରିପୋର୍ଟରେ ମହୁଆ ମଇତ୍ରଙ୍କ ସଂସଦ ସଦସ୍ୟତା ବାତିଲ କରିବାକୁ ସୁପାରିଶ କରାଯାଇଥିଲା। ଯେତେବେଳେ ଗୃହ ୨ଟାରୁ ଆରମ୍ଭ ହୋଇଥିଲା, ପ୍ରାୟ ଏକ ଘଣ୍ଟା ଆଲୋଚନା ପରେ ଗୃହ ଟିଏମସି ସାଂସଦ ମହୁଆ ମଇତ୍ରଙ୍କ ସଦସ୍ୟତା ରଦ୍ଦ କରିବାକୁ ଏଥିକ୍ସ କମିଟି ସୁପାରିଶକୁ ଭଏସ୍ ଭୋଟ୍ ଦ୍ୱାରା ଗୃହୀତ ହୋଇଥିଲା। ଏହା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏନେଇ ଆନୁଷ୍ଠାନିକ ଘୋଷଣା କରିଥିଲେ । ମଇତ୍ରଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନଦେଇ ଓ ଏଥିକ୍ସ କମିଟି ରିପୋର୍ଟ ଉପରେ ବିନା ଆଲୋଚନାରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ବିରୋଧୀ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ । ଏହା ସରକାରଙ୍କ ‘ଫିକ୍ସଡ୍ ମ୍ୟାଚ୍’ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତିି ।

ସୁପ୍ରିମକୋର୍ଟର ଓକିଲ ତଥା ମହୁଆଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ଅନନ୍ତ ଦେହଦ୍ରାଇ ସିବିଆଇରେ ଅଭିଯୋଗ କରିଥିଲେ ଯେ ଟିଏମସି ସାଂସଦ ମହୁଆ ମଇତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଛନ୍ତି । ଏହି ଅଭିଯୋଗ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହାର ତଦନ୍ତ ଦାବି କରିଥିଲେ । ଆଦାନୀ ଗ୍ରୁପ୍ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ୍ କରିବା ପାଇଁ ମହୁଆ ମଇତ୍ର ଶିଳ୍ପପତି ଦାର୍ଶନ ହିରାନନ୍ଦାନୀଙ୍କ କହିବା ମୁତାବକ ପ୍ରଶ୍ନ କରୁଥିଲେ। ମହୁଆଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ହିରାନନ୍ଦାନୀ। ଏଥିପାଇଁ ମହୁଆ ତାଙ୍କ ସଂସଦୀୟ ଲଗ୍ ଇନ୍ ଆଇଡି ହିରାନନ୍ଦାନୀଙ୍କୁ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଅଭିଯୋଗକୁ ମହୁଆ ମଇତ୍ର ଅସ୍ୱୀକାର କରିଥିଲେ ହେଁ ସେ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ତାଙ୍କ ସଂସଦ ଲଗଇନ୍ ବିବରଣୀ ଉପଲବ୍ଧ କରିଥିବା ମାନିଥିଲେ ।

Comments are closed.